ଏଆଇୟୁଟିୟୁସି ଓ ଏଆଇକେକେଏମ୍‌ଏସ୍‌ ତରଫରୁ ସର୍ବ ଭାରତୀୟ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମକୋଡ, କୃଷକ ବିରୋଧୀ କୃଷି ଆଇନ, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦, ରେଳ ସମେତ ଅନ୍ୟାନ୍ୟ ରାଷ୍ଟ୍ରୀୟ ଉଦ୍ୟୋଗଗୁଡିକର ଘରୋଇକରଣ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଆଦି ବିରୁଦ୍ଧରେ ଦେଶର ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ଗୁଡିକର ମିଳିତ ଆହୁତ ୨୬ ନଭେମ୍ବର ସର୍ବ ଭାରତୀୟ ସାଧାରଣ ଧର୍ମଘଟ ଅବସରରେ ଏଆଇଟିୟୁସି, ଏଆଇକେକେଏମ୍‌ଏସ୍‌ ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଆଇଡିଏସ୍‌ଓ, ଏଆଇଡିୱାଇଓ ଏବଂ ଏଆଇଏମ୍‌ଏସ୍‌ଏସ୍‌ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ କରିଛି । ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ।

ଆଜି ସକାଳେ ଏକ ବାଇକ୍‌ ର‍୍ୟାଲି ମାଧ୍ୟମରେ ଶ୍ରମିକ ଆନ୍ଦୋଳନରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା ଏବଂ ପରେ ଜିଲ୍ଲାପାଳ ଅଫିସ ଅଭିମୁଖେ ଆସି ଶ୍ରମିକମାନଙ୍କ ମିଳିତ ମଞ୍ଚରେ ଯୋଗ ଦିଆଯାଇଥିଲା । ଏଥିରେ ଏସ୍‌ୟୁଏସ୍‌ଆଇ (ସି)ର ବଲାଙ୍ଗିର ଜିଲ୍ଲା ସମ୍ପାଦକ ସୁନିଲ ଭୋଇ ଏବଂ ଏଆଇଡିଏସ୍‌ଓ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା ବକ୍ତବ୍ୟ ରଖି କହିଥିଲେ ଯେ, ତଥାକଥିତ ରାଷ୍ଟ୍ରବାଦୀ କେନ୍ଦ୍ର ବିଜେପି ସରକାର ତାର ସମସ୍ତ ନୀତି କର୍ପୋରେଟ୍‌, ପୁଞ୍ଜିପତିଙ୍କ ସେବାରେ ସମର୍ପିତ । ରେଲୱେ, ବିଏସ୍‌ଏନ୍‌ଏଲ୍‌ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଉନ୍ନତ କରାଯିବା ବଦଳରେ ଆଦାନୀ, ଅମ୍ବାନୀଙ୍କ ହାତକୁ ଟେକି ଦେଉଛନ୍ତି । ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ ଓ କେନ୍ଦ୍ରୀକରଣ କରିବା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦କୁ ଲାଗୁ କରିବା ପାଇଁ ଯାଉଛନ୍ତି । ପେଟ୍ରୋଲ, ଡିଜେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ମୋଦୀ ସରକାର ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ସରକାରଙ୍କର ଏଭଳି ଜନ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟ ହୋଇ ଆଗାମୀ ଦିନରେ ଏକ ସଚେତନ ସଂଗଠିତ ଦୁର୍ବାର ଗଣ ଆନ୍ଦୋଳନ ଗଢି ତୋଳିବା ପାଇଁ ୟୁନିୟନ ତରଫରୁ ଆହ୍ୱାନ କରାଯାଇଥିଲା । ଏଥିରେ ହୃଦାନନ୍ଦ କରୁଆ, ମଧୁସୁଦନ ନାଗ, ଋଷିି ବୁଡେକ, ଚନ୍ଦ୍ରକାନ୍ତି ସାହୁ, ତାମସ ବେହେରା, ଖଗେଶ୍ୱର ମହାନନ୍ଦ, ଗୌରୀ ରାଉତ, ଗୋସେଫ୍‌ ବାଗ, ଅହଲ୍ୟା ସାହୁ ସମେତ ବହୁ କର୍ମୀ ଯୋଗଦାନ ଦେଇଥିଲେ ।

Leave A Reply

Your email address will not be published.