
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ଛକରୁ ବନ୍ଧମୁଣ୍ଡା ଯିବା ରାସ୍ତାକଡ଼ରେ ଗତ ୫ ଦଶନ୍ଧିରୁ ଅଧିକ ସମୟ ଧରି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିବା ଦୋକାନ ଗୁଡିକୁ ଉଚ୍ଛେଦ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଗତ ଅଗଷ୍ଟ ମାସରେ ଏକ ନୋଟିସ ଜାରି କରିଥିଲେ । ତେବେ ବିନା ଥଇଥାନରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ସମ୍ପୃକ୍ତ ମାର୍କେଟର ସମସ୍ତ ଦୋକାନୀ ଭାଇ ମାନେ ଗତ ଅଗଷ୍ଟ ମାସ ୧୭ ତାରିଖରୁ ରାଉରକେଲା ଇସ୍ପାତ କାରଖାନା ସହରସେବା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଦୋକାନୀଙ୍କ ଦାବି ହେଉଛି ଉଚ୍ଛେଦ ପୂର୍ବରୁ ଆମକୁ ଯେକୌଣସି ସ୍ଥାନରେ ଥଇଥାନ କରାଯାଉ । ଅପରଟେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଉଚ୍ଛେଦ ହେବାକୁ ଥିବା ଦୋକାନୀଙ୍କ ଥଇଥାନ ପାଇଁ କୌଣସି ପଦକ୍ଷେପ ନେଇନଥିଲା । ତେବେ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଧାରଣା ସ୍ଥଳରେ ପହଞ୍ଚି ଦୋକାନୀ ଭାଇଙ୍କ ସହିତ ପ୍ରଥମେ କଥାବାର୍ତ୍ତା ହେବା ପରେ ଦୋକାନୀ ଭାଇଙ୍କ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହିତ ସହରସେବା ପ୍ରଶାସନ କାର୍ଯ୍ୟାଳୟକୁ ଯାଇ ବିଭାଗୀୟ ଅଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ବର୍ତ୍ତମାନ ବଳଭଦ୍ର ମାର୍କେଟରେ ଦୋକାନ କରିଥିବା ଦୋକାନୀ ଭାଇଙ୍କ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଦୋକାନୀ ଭାଇମାନେ ଗତ ୧୬ ଦିନ ଧରି ଚଳାଇ ଆସିଥିବା ଧାରଣାକୁ ସ୍ଥଗିତ କରିଥିଲେ ।