ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ବେଳେ ସମୁଦ୍ରକୂଳ ଡ଼ଙ୍ଗାରୁ ବିପୁଳ ପରିମାଣର ନକଲି ଦେଶୀ ମଦ ଜବତ

  • ଦୁଇ ଅଟକ, ମାଷ୍ଟର ମାଇଣ୍ଡ ସନ୍ଧାନରେ ପୋଲିସ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସମୁଦ୍ରପଥ ଦେଇ ଡଙ୍ଗା ଦ୍ୱାରା ଦେଶୀ ମଦ ପିପୁଳ ପରିମାଣର ଚାଲାଣ ହେଉଥିବା ଲକ୍ଷ କରାଯାଉଛି । ସୂଚନା ଅନୁସାରେ ସୋମବାର ବଢି ଭୋର ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଦେଶୀମଦ ଭର୍ତି ଥିବା ୩୦ଟି ଜରି ବସ୍ତାକୁ ଜବତ କରିବା ସହ ଦୁଇ ଜଣଙ୍କୁ ଡ଼ଙ୍ଗାରୁ ଧରି ଆଣି ଅଟକ ରଖିଥିବା ଜଣାପଡିଛି । ରମ୍ଭା ଥାନା ଅନ୍ତର୍ଗତ ପୋଡମପେଟା ସମୁଦ୍ରକୂଳରୁ ଆନ୍ଧ୍ରପ୍ରଦେଶକୁ ମଦ ବସ୍ତା ଯାଉଥିବା ବେଳେ ପୋଡମପେଟା ଓ ଡିଆର୍‌ପି କଲୋନୀର ବି.ସାତେୟା ଓ ବି .ରାମ ଦୁଇଜଣ ମଦ ଚାଲାଣକାରୀଙ୍କୁ ଥାନାରେ ଅଟକ ରଖି ଏହାର ମାଷ୍ଟର ମାଇଣ୍ଡ କିଏ ତାର ଅନୁସନ୍ଧାନରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଗୋଟିଏ ଗୋଟିଏ ବସ୍ତାରେ ୩ ଶହ ଲେଖାଏଁ ଦେଶୀ ମଦ ପ୍ୟାକେଟ ରହିଥିବା ବେଳେ ୩୦ ବସ୍ତା ମଧ୍ୟରେ ୯ ହଜାର ଦେଶି ମଦ ପ୍ୟାକେଟ ରହିଥିବା ପୋଲିସ କହିଛି । ଏହା ନକଲି ମଦ ବୋଲି ଅଟକ ବ୍ୟକ୍ତିମାନେ ପୋଲିସକୁ କହିଥିବା ବେଳେ ସେଥିରେ ହାତୀ ଚିହ୍ନ ରହିଥିବା ରମ୍ଭା ଆଇଆଇସି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ୫୬୫ /୨୧ ପ୍ରକାରେ କେସ ରୁଜୁ କରାଯାଇଛି । ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରନାନ କରାଯାଇଛି । ଚଢ଼ାଉ ସମୟରେ ଆଇଆଇସିଙ୍କ ସମେତ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦର୍ଶ ପ୍ରିୟଦର୍ଶୀ, ରମ୍ଭା ଥାନା ଏସ୍‌ଆଇ ବିକାଶ କୁମାର ସାମଲ, ଏଏସ୍‌ ଆଇ ବି.ପ୍ରଧାନ, କନେଷ୍ଟବଳ ଅରୁଣ ବେହେରା, ଦୀପକ ପାଣିଗ୍ରାହୀ, ହୋମଗାର୍ଡ ପ୍ରଭାତ, ରୂପକ, ଗାନ୍ଧୀ, ତାରିଣୀ ଲୋକା, ବାବୁ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ । ସୂଚନା ଥାଉକି ଗଞ୍ଜାମ ଓ ରମ୍ଭା ଥାନା ଇଲାକାରେ ଅଗସ୍ତି ନୁଆଁଗାଁ, ଗୋଖରକୁଦା ଓ ରମ୍ଭା ଅଞ୍ଚଳରେ ତିନୋଟି ଲାଇସେନ୍ସ ପ୍ରାପ୍ତ ମଦ ଭାଟି ରହିଛି । ତେବେ ଛତ୍ରପୁର ଅବକାରୀ ବିଭାଗକୁ ଭାଟି ମାଲିକ ସେମାନଙ୍କ ସେଲିଂ ଅନୁସାରେ ତଥ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ତେବେ କେଉଁ ଭାଟିରୁ ଏହି ୯ ହଜାର ପ୍ୟାକେଟ ପ୍ରସ୍ତୁତ ହୋଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା । ଏହା ଅବକାରୀ ବିଭାଗ କିପରି ଜାଣିପାରୁନଥିଲା ଏନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯୋଗ୍ୟ ଯେ, ରାତ୍ର ସମୟରେ ଖଲ୍ଲିକୋଟ ଅଞ୍ଚଳରୁ ଦେଶୀ ମଦ ପାରିକୁଦ ଓ ଆନ୍ଧ୍ରପ୍ରଦେଶକୁ ପଠାଯାଉଥିବା ବେଳେ ରମ୍ଭା ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇ ମଦବୁହା ପିକ୍‌ଅପ ଭ୍ୟାନ୍‌ ସହ ବିପୁଳ ପରିମାଣର ଦେଶୀ ମଦପ୍ୟାକେଟ ଧରାଯାଇ ଚୋରା ଚାଲାଣକାରୀମାନଙ୍କୁ କୋର୍ଟ ଚାଲାଣ କରାଯାଉଥିଲା । ମାଫିଆମାନେ ନିଜର କଳା ବ୍ୟବସାୟ ସୁରକ୍ଷିତ ମଣି ନପାରି ସାମୁଦ୍ରିକ ମଶ୍ୟଜୀବୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ସେମାନଙ୍କୁ ଢାଲ କରି ସମୁଦ୍ର ପଥରେ ଆନ୍ଧ୍ରପ୍ରଦେଶକୁ ମାଦକ ଦ୍ରବ୍ୟ ଚୋରା ଚାଲାଣ କରି ମାଲା ମାଲ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.

two × four =