
ନୂଆଁଖାଇ ପାଇଁ ୩ ଦିନ ଛୁଟି : କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ସାରା ପଶ୍ଚିମ ଓଡ଼ିଶା । ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ପାଳିତ ହେବ ନୂଆଁଖାଇ ପର୍ବ । ଏହା ପୂର୍ବରୁ ନୂଆଁଖାଇ ପାଇଁ ବିଭିନ୍ନ ଦାବି ଉଠାଇଛି ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଏବଂ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ମନ୍ଦିର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଦେବାଦେବୀଙ୍କ ପୀଠକୁ ନୂଆଁଖାଇ ଅବସରରେ ଆଲୋକସଜ୍ଜା କରିବାକୁ ଦାବି ହୋଇଛି । ସେହିପରି ଶୀତଳଷଷ୍ଠୀ ପାଇଁ ଯେଭଳି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉଛି, ସେହି ଢାଞ୍ଚାରେ ନୂଆଁଖାଇ ପାଇଁ ମଧ୍ୟ ବିଭିନ୍ନ ମନ୍ଦିରକୁ ସ୍ୱତନ୍ତ୍ର ପ୍ୟାକେଜ ଓ ଅନୁଦାନ ପ୍ରଦାନ କରିବାକୁ କମିଟି ଦାବି କରିଛି । ପଶ୍ଚିମ ଓଡ଼ିଶାର ଅନେକ ଲୋକ ସରକାରୀ ଓ ବେସରକାରୀ ଚାକିରିରେ ରାଜ୍ୟ ବାହାରେ ରହୁଛନ୍ତି । ନୂଆଁଖାଇ ଭଳି ମହାନ୍ ପର୍ବରେ ସେମାନେ ନିଜ ଗାଁ ଓ ପରିବାରକୁ ଫେରିବା ପାଇଁ ସୁଯୋଗ ପାଆନ୍ତୁ, ଏଥିପାଇଁ ତିନିଦିନ ସରକାରୀ ଛୁଟି ଘୋଷଣା କରିବାକୁ ମଧ୍ୟ ଦାବି ହୋଇଛି । ଅନ୍ୟପଟେ, ନୂଆଁଖାଇ ଦିନ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଚୟନ ପ୍ରକ୍ରିୟା ରଖାଯାଇଥିବାରୁ ଏହାର ତାରିଖ ପରିବର୍ତ୍ତନ କରିବାକୁ ମଧ୍ୟ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ନୂଆଁଖାଇ ଦିନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେନେଇ ସରକାର ଗମ୍ଭୀରତାର ସହ ବିଚାର କରିବାକୁ ଦାବି ହୋଇଛି । ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ମାଟି, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏକ ଗଣପର୍ବ । ତେଣୁ ଏହି ପର୍ବକୁ ଅଧିକ ଗରିମାମୟ କରିବା ସହ ଦେବାଳୟଗୁଡ଼ିକର ବିକାଶ ଓ ସୁରକ୍ଷା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କମିଟି ପକ୍ଷରୁ ଦାବି କରାଯାଇଛି । ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ବିଭୁ କଲ୍ୟାଣ ଗଡ଼ତ୍ୟା, ସୁଶାନ୍ତ କୁମାର ପ୍ରଧାନ, ଅଶୋକ ମେହେରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।