
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ମାଟିଖାଲ ଠାରେ ଅବସ୍ଥିତ ଭାରତୀୟ ବିରଳ ମୃତ୍ତିକା ଆଇ.ଆର.ଇ.ଏଲ୍.(ଇଣ୍ଡିଆ)ରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ତରଫରୁ ଉପଦେଷ୍ଟା ତଥା ସରକାରୀ ଓକିଲ ବ୍ରଜ ମୋହନ ଆଚାର୍ଯ୍ୟ, ସହ ସମ୍ପାଦକ ମନୋରଞ୍ଜନ ବେହେରା ଓ କର୍ମଚାରୀ ଟୁଟୁ ନାୟକଙ୍କ ନେତୃତ୍ୱରେ ଏକ ଦଳ ଆଇ.ଆର.ଇ.ଏଲ୍.(ଇଣ୍ଡିଆ)ର ସିଏମ୍ଡି ତଥା ଅଧ୍ୟକ୍ଷ ଶାରଦା ଭୂଷଣ ମହାନ୍ତିଙ୍କୁ ଭେଟି ଆଇ.ଆର.ଇ.ଏଲ୍. (ଇଣ୍ଡିଆ)ରେ କାର୍ଯ୍ୟରତ କର୍ମଚାରୀଙ୍କର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ସେଥିମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ସମାନ ବେତନ, ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି, ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇବା, ବିଭିନ୍ନ ପ୍ରକାରର ଆନୁସଙ୍ଗିକ ସୁବିଧା ଯୋଗାଇଦେବା ନେଇ ଆଲୋଚନା କରାଯିବା ସହ ଶ୍ରୀ ମହାନ୍ତିଙ୍କର ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କାମନା କରାଯାଇଥିଲା । ସୂଚନାଯୋଗ୍ୟ, ଥରକୁ ଥର ଏହି ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ନିଜର ବିଭିନ୍ନ ଦାବି ନେଇ ବିଭିନ୍ନ ସମୟରେ ନେତା ତଥା ମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ବହୁବାର ଆନ୍ଦୋଳନ ମଧ୍ୟ କରିଆସୁଥିଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ । କେବଳ ସୌଜନ୍ୟ ମୂଳକ ସାକ୍ଷାତକାରରେ ରହିଯାଉଥିବାରୁ, ଏଥର ଏ ନେଇ ଶ୍ରୀ ମହାନ୍ତି, ବିହିତ ପଦକ୍ଷେପ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମସ୍ତ କର୍ମଚାରୀ ଆଶାବାଦୀ ରହିଛନ୍ତି ।