
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗୁରୁ ଦିବସ ଅବସର ରୋଟାରୀ କ୍ଲବ୍ ଅଫ୍ ବ୍ରହ୍ମପୁର ଇଷ୍ଟ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ୬୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେସନ ବିଲ୍ଡର ସମ୍ମାନରେ ସମ୍ମାନିତ କରାଯାଇଛି । କ୍ଲବର ଧର୍ମ ନଗରସ୍ଥିତ କମ୍ୟୁନିଟି ହଲ୍ ଠାରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ କ୍ଳବର ସଭାପତି ରୋଟାରିଆନ୍ ହୣଷିକେଶ ପ୍ରଧାନ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟଅତିଥି ରୂପେ ବିଶିଷ୍ଟ ଓଡ଼ିଆ ଭାଷା ସାହିତ୍ୟର ସାଧକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ବନମାଳୀ ପାଣିଗ୍ରାହୀ ଯୋଗଦେଇ ନିଜର ଶିକ୍ଷକ ଜୀବନର ଅନୁଭୂତି ବର୍ଣ୍ଣନା କରି ଜାତି ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଡ଼ଃ ଅଶୋକ କୁମାର ପାଳ ଯୋଗ ଦେଇ ରୋଟାରୀ ଇଷ୍ଟର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରି ଏତେ ସଂଖ୍ୟକ ଶିକ୍ଷକଙ୍କୁ ଗୁରୁ ଦିବସରେ ସମ୍ବର୍ଦ୍ଧିତ କରି ମହତ୍ କାର୍ଯ୍ୟ କରିଥିବାରୁ ସାଧୁବାଦ୍ ଜଣାଇଥିଲେ । ରୋଟାରୀ ସହକାରୀ ପ୍ରାନ୍ତପାଳ ପ୍ରଦ୍ୟୁମ୍ନ ବିଷୟୀ କିଛି ସ୍କୁଲରେ ଲାଇବ୍ରେରୀ ଖୋଲିବା ପାଇଁ ପରାମର୍ଶ ଦେଇ ଏଥିପାଇଁ ନିଜ ତରଫରୁ ତିନି ହଜାର ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଲିଟେରାସୀ ଚେୟାରମ୍ୟାନ୍ ପ୍ରତ୍ୟୁଷ କୁମାର ଦାସ ବିବରଣୀ ପ୍ରଦାନ କରିଥିଲେ । କ୍ଳବର ପବ୍ଲିକ୍ ଇମେଜ୍ ଚେୟାରମ୍ୟାନ୍ ତଥା ପୂର୍ବତନ ସଭାପତି କାମରାଜୁ ମହାରଣାଙ୍କ ସଂଯୋଜନାରେ ପରିଚାଳିତ ଉତ୍ସବରେ ପୂର୍ବତନ ସଭାପତି ଅରୁଣ ଚାନ୍ଦ ଦାଶ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା, ଜୟନ୍ତ କିଶୋର ପାତ୍ର, ସମ୍ପାଦକ ଶାନ୍ତନୁ କୁମାର ପାତ୍ର, ରାଧାଚରଣ ସାହୁ, ଅଜିତ୍ କୁମାର ପୣଷ୍ଟି, ରାମା ରାଓ, ପ୍ରଦୀପ କୁମାର ନାୟକ, ଭିକାରୀ ଚରଣ ସାହୁ, ଏମ୍. ମନୋଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।