ସରକାରୀ ଶିକ୍ଷା ନୀତି ବିରୁଦ୍ଧରେ ଆପ୍‌ର ୬ ଦଫା ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଆମ ଆଦମୀ ପାର୍ଟିର ରାଜ୍ୟ ପ୍ରବକ୍ତା ତଥା ଜିଲ୍ଲା ଆବାହକ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଅୟୋଜିତ ସମ୍ବାଦିକ ସମ୍ମିଳନୀରେ ଆପ୍‌ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ନିନ୍ଦା କରିବା ସହ ରାଜ୍ୟ ଶିକ୍ଷା ନୀତିକୁ ବଦଳାଇବା ଉଦ୍ଦେଶ୍ୟରେ ସରକାରଙ୍କୁ ୬ ଦଫା ଦାବୀପତ୍ର ପ୍ରଦାନ କରିଛି । ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଉ ନଥିବା ବେଳେ ଏବେ ପୁଣି ୧୦ରୁ କମ୍‌ ସଂଖ୍ୟକ ପିଲା ଥିବା ସ୍କୁଲ ଗୁଡିକୁ ବନ୍ଦ କରିବାର ଏକ ପାଖିଆ ନିଷ୍ପତ୍ତି ଗ୍ରହଣ କରି ସାରିଛନ୍ତି । ଯଦ୍ୱାରା ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେବା ସହ ୧୦୦୦ରୁ ଅଧିକ ସ୍କୁଲ ବନ୍ଦ ହୋଇଯିବ । କିନ୍ତୁ ଅନ୍ୟ ପଟେ ରାଜ୍ୟରେ ଶିକ୍ଷାର ବଜାର ବୃଦ୍ଧି ହେବାରେ ଲାଗିଥିବା ବେଳେ ବେସରକାରୀ ସ୍କୁଲ ଦିନକୁ ଦିନ ବଢିବାରେ ଲାଗିଛି, ଯାହା ବେସରକାରୀ ଶିକ୍ଷା ବେପାରକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ କରୁଛି । ସରକାରଙ୍କ ଏଭଳି ବେସରକାରୀ ଅନୁଷ୍ଠାନ ପ୍ରୀତିକୁ ଆପ୍‌ ଓଡିଶା ତୀବ୍ର ନିନ୍ଦା କରିବା ସହ ଦୃଢ ବିରୋଧ କରୁଛି ବୋଲି ଦଳ ତରଫରୁ କୁହାଯାଇଛି । ଆହୁରି ରାଜ୍ୟ ସରକାର ଦୀର୍ଘ ୨୧ ବର୍ଷ ଧରି ନୀରବିଚ୍ଛିନ୍ନ ଭାବେ ଶାସନରେ ଥାଇ ମଧ୍ୟ ରାଜ୍ୟରେ ଶିକ୍ଷାର ମାନ ଅତି ଦୟନୀୟ ହୋଇପଡିଛି । ରାଜ୍ୟ ସରକାର ଡିଂଡିମ ପିଟୁଥିବା ୨୧୪ ଗୋଟି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣାଗାର, ସାଜ ସରଞ୍ଜାମ ତଥା ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି । ଓଡିଶାର ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦିଲ୍ଲୀ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ସହିତ ତୁଳନା କଲେ ରଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦୁର୍ଗତି ଠିକ୍‌ ଜଣାପଡେ । ଦିଲ୍ଲୀରେ ରାଜ୍ୟ ବଜେଟର ୨୫ ପ୍ରତିଶତରୁ ଅଧିକ ଶିକ୍ଷା ଉପରେ ଖର୍ଚ୍ଚ କରାଯାଉ ଥିବା ବେଳେ ଶିକ୍ଷକ ନିଯୁକ୍ତି, ପ୍ରଶିକ୍ଷଣ ମାନ, ଭିତ୍ତିଭୂମିର ବିକାଶ ହେବା ସହ ଶିକ୍ଷାର ମାନ ବୃଦ୍ଧି ପାଇଛି । ଯାହାଫଳରେ ଆଜି ବହୁ ସଂଖରେ ଛାତ୍ରଛାତ୍ରୀମାନେ ବେସରକାରୀ ଅନୁଷ୍ଟାନ ଛାଡି ସରକାରୀ ସ୍କୁଲ ଯୋଗ ଦେବା ସହ ବିଭିନ୍ନ ପ୍ରରତିଯୋଗିତା ମୂଳକ ଶିକ୍ଷାକ୍ରମରେ ଉତ୍ତୀର୍ଣ୍ଣ ହେଉଛନ୍ତି । ତେଣୁ ରାଜ୍ୟରେ ଶିକ୍ଷାର ଉନ୍ନତି କରିବା ପାଇଁ ରାଜ୍ୟ ସରକାରଙ୍କୁ ଆପ୍‌ ତରଫରୁ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ଆବାହକ ଆଶିଷ ପାଣ୍ଡେ ସାମ୍ବଦିକମାନଙ୍କୁ କହିଛନ୍ତି । ଆପ୍‌ ଦ୍ୱାରା ପ୍ରଦତ୍ତ ଦାବୀପତ୍ରରେ ରାଜ୍ୟର ଶିକ୍ଷା ବଜେଟକୁ ଅନ୍ତତଃ ୧୫ ପ୍ରତିଶତ କରାଯିବା, ଶିକ୍ଷକଙ୍କମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସମ୍ବଳ ପ୍ରଦାନ କରିବା, ସରକାରୀ ବିଦ୍ୟାଳୟ ଗୁଡିକୁ ଉପଯୁକ୍ତ ଭିତ୍ତିଭୂମି ପ୍ରଦାନ କରିବା ସହ ଅଧିକ ଉପେଯାଗୀ କରାଯିବା, ସ୍କୁଲ ମ୍ୟାନେଜମେଣ୍ଟକୁ ଅଧିକ କ୍ରିୟାଶୀଳ କରିବା ସହ ଆର୍ଥିକ କ୍ଷମତା ପ୍ରଦାନ କରିବା ଇତ୍ୟାଦି ଦାବୀ ଗୁଡିକ ରହିଛି । ଆଜିର ଏହି ସାମ୍ବାଦିକ ସମ୍ମୀଳନୀରେ ଆମ ଆଦମୀ ପାର୍ଟିର ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ପରୁଆ, ଦେଓଗାଁ ବ୍ଲକ ସଭାପତି ଶଙ୍କର୍ଷଣ ମହାପାତ୍ର, ଗଂଗାରାମ ପଟେଲ, ଜଗଦୀଶ ଚନ୍ଦ୍ର ବିଭାର, ଅଶୋକ ସୁନା, ସର୍ବେଶ୍ୱର ପଟେଲ, ଝସକେତନ ମହାନନ୍ଦ, କୁଞ୍ଜ ବିହାରି ସୁନା ଓ ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.