
ବଲାଙ୍ଗିର, (କେପିଏନ୍ଏସ୍) : ବହୁ ଦିନରୁ ଦାବି ହୋଇଆସୁଥିବା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ଥିବା ୧୫୦ରୁ ୨୦୦ ଏକର ଜମିର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟି ଦାବି କରିଛି । ଏ ସମ୍ବନ୍ଧରେ କିଛିଦିନ ତଳେ ରାଜେନ୍ଦ୍ର ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉଲ୍ଲେଖ ମଧ୍ୟ କରିଥିଲେ । ଦୁଃଖର ବିଷୟ ଯେ, ବହୁ ଉପେକ୍ଷିତ ପଶ୍ଚିମ ଓଡ଼ିଶାର ସର୍ବପୂରାତନ ରାଜେନ୍ଦ୍ର କଲେଜର ଜମି ପ୍ରଶାସନର ଅବହେଳା ଯୋଗୁଁ କ୍ରମଶଃ ସଂକୁଚିତ ହୋଇ ୫୬ ଏକରରେ ପହଂଚିଛି । ଜବରଦଖଲରେ ଥିବା ଏହି ବଳକା ଜମିକୁ କଲେଜ ଅଧୀନକୁ ଫେରାଇ ଆଣିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଭୀମ ଭୋଇ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟିର ଆବାହକ ଇଂ. ବେଲାସିଂ ଭୋଇ, ସଂଯୋଜକ ମନୋରଂଜନ ସାହୁ, ସଭ୍ୟ ମନୋରଂଜନ ମିଶ୍ର, ରଘୁ ନନ୍ଦନ ସିଂହ, ସୁବୋଧ ନାଗ, ବାଦଲ ମହାକୁଡ ଓ ଦିବାକର ହୋତା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏ ସଂକ୍ରାନ୍ତରେ ଜିଲ୍ଲାପ୍ରଶାସନ ସକ୍ରିୟ ରହିବା ସହ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଇସଲୱାର ପ୍ରତିଶୃତି ଦେଇଛନ୍ତି ।