pakka

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

bbehera
  • ଆପଣମାନଙ୍କ ଭାଗିଦାରୀ ମିଶନଶକ୍ତିକୁ ଏକ ନମ୍ବର କାର୍ଯ୍ୟକ୍ରମ କରିପାରିଛି : ମୁଖ୍ୟମନ୍ତ୍ରୀ
  • ସମୟ ବଞ୍ଚିବ, ଦକ୍ଷତା ବଢିବ : ମିଶନ ଶକ୍ତିର ମା’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି । ସେ କହିଥିଲେ ଯେ, ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ଏବଂ ମିଶନଶକ୍ତି ମା’ମାନଙ୍କୁ ଭେଟୁଛନ୍ତି । ସେମାନେ ମଧ୍ୟ ନବୀନ ନିବାସ ଆସି ତାଙ୍କୁ ଭେଟୁଛନ୍ତି । ମା’ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଉଛି ବୋଲି ସେ କହିଥିଲେ । ଆପଣମାନଙ୍କ ଆତ୍ମବିଶ୍ୱାସ, ଆପଣମାନଙ୍କ ଉତ୍ସାହ ମିଶନ ଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିଭିନ୍ନ ସହରରେ ମିଶନ ଶକ୍ତିର ମା’ମାନେ କମ୍ୟୁନିଟି ପାର୍ଟିସିପେସନ କାର୍ଯ୍ୟକ୍ରମରେ ଅନେକ ଦାୟିତ୍ବ ହାତକୁ ନେଇଛନ୍ତି । ଆହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ, ଜଳସାଥି, ସ୍ବଚ୍ଛସାଥୀ ଆଦି ଅନେକ କାମ କରୁଛନ୍ତି । ଆପଣମାନଙ୍କ କାମରେ ସମସ୍ତେ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଯେପରି ସୁବିଧାରେ ନିଜ ନିଜର ଦାୟିତ୍ବ ପାଳନ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ସାଇକେଲ ଦେଉଛନ୍ତି ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ମା’ମାନଙ୍କୁ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ, ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ କରିଛି ଓ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ସମସ୍ତେ ମିଳିମିଶି ଭଲ କାମ କରି ଓଡିଶା ମା’ର ସୁନାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଥିଲେ ଯେ, ମିଶନ ଶକ୍ତି ମା’ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ଗଠନକୁ ସାକାର କରିବା ପାଇଁ ବହୁତ ଭଲ କାମ କରୁଛନ୍ତି । ସାଇକେଲ ପାଇବା ଦ୍ବାରା କର୍ମ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ଓ ସ୍ବାଧୀନତା ମିଳିପାରିବ । ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ, ଗୋଷ୍ଠୀଗତ ବିକାଶର ଏକ ଅନୁପମ ବାର୍ତ୍ତାବହ ହେଉଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗ‌ଦର୍ଶନରେ ଏହା ଆଜି ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିଛି ।

କାର୍ଯ୍ୟକ୍ରମରେ ଦୁଇ ଜଣ ମିଶନ ଶକ୍ତି ମା ପଦ୍ମାବତୀ ଦାସ (ଆହାର କର୍ମୀ) ଓ ସୀତା ମୁର୍ମୁ (ସ୍ବଚ୍ଛକର୍ମୀ) ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ସେମାନେ ଆଜି ସ୍ବାବଲମ୍ବୀ ହେବା ସହିତ ନିଜ ନିଜ ପରିବାରର ଛୋଟ ଛୋଟ ଅସୁବିଧା ମଧ୍ୟ ଦୂର କରିପାରୁଛନ୍ତି । ସାଇକେଲ ଦ୍ବାରା ସେମାନଙ୍କ ସମୟ ବଞ୍ଚିବା ସହିତ କାର୍ଯ୍ୟଦକ୍ଷତା ବଢିବ ବୋଲି ସେମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 + twenty =