ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ପଞ୍ଚମ ମ୍ୟାଚ ନାଏକ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନାଏକ ଏକାଡେମୀ ଦଳ ପ୍ରଥମେ ବ୍ୟାଟିଂ କରି ସୁବାଶିଷ ମିର୍ଦ୍ଧାଙ୍କ ୬୫, କିସନ ନାଏକ ୫୮ ଓ ଅଂଶୁମାନ ମିଶ୍ର ଅପରାଜିତ ୫୫ ରନ୍‌ ଓ ମାନସ ସାହାଣିଙ୍କ ଅପରାଜିତ ୪୪ ରନ୍‌ ସହାୟତାରେ ନାଏକ କ୍ରିକେଟ ଏକାଡେମୀ ଦଳ ନିର୍ଦ୍ଧାରିତ ୪୮ ଓଭରରେ ୪ ଉଇକେଟ ବିନିମୟରେ ୨୬୬ ରନ୍‌ର ବିଶାଳ ସ୍କୋର କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ସ୍ୱାଗତ ପଟ୍ଟନାୟକ ୨ ଗୋଟି ଉଇକେଟ ଅକ୍ତିଆର କରିଥିବା ବେଳେ ଅନ୍ୟ କୌଣସି ବୋଲର ନାଏକ ଏକାଡେମୀର ବ୍ୟାଟ୍ସମ୍ୟାନ୍‌ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇପାରି ନ ଥିଲେ । ଫଳରେ ନାଏକ କ୍ରିକେଟ ଏକାଡେମୀ ଦଳ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ୨୬୭ ରନ୍‌ର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଳାଇଥିବା ୟଙ୍ଗ ଷ୍ଟୁଡେଣ୍ଟ ଦଳ ୩୮.୨ ଓଭରେ ସମସ୍ତ ଉଇକେଟ ହରାଇ ମାତ୍ର ୧୩୫ ରନ୍‌ ସଂଗ୍ରହ ଶୋଚନିୟ ପରାଜୟ ବରଣ କରିଥିଲା । ଫଲରେ ଏହି ମ୍ୟାଚକୁ ନାଏକ ଏକାଡେମୀ ଦଳ ୧୩୧ ରନ୍‌ରେ ବିଜୟୀ ହୋଇଥିଲେ । ନାଏକ ଏକାଡେମୀ ଦଳ ତରଫରୁ ଅନୁରାଗ ପ୍ରଧାନ ଓ ସୁବାଶିଷ ମିର୍ଦ୍ଧା ଉଭୟେ ୩ ଗୋଟି ଲେଖାଏଁ ଉଇକେଟ୍‌ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ସୁବାଶିଷ ମିର୍ଦ୍ଧାଙ୍କ ଅଲରାଉଣ୍ଡର ଖେଳ ପ୍ରଦର୍ଶନ ଯୋଗୁଁ ଆଜିର ଶ୍ରେଷ୍ଠ ଖେଳାଲି ଘୋଷିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ଅନ୍‌ଲାଇନ ସ୍କୋରର୍‌ ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତା କାଲି ସୋମବାର ସୁପର ଲିଗ୍‌ର ଅନ୍ତିମ ମ୍ୟାଚଟି ନବକିଶୋର କ୍ରିକେଟ କ୍ଳବ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

2 × three =