pakka

ଆନ୍ତଃରାଜ୍ୟ ବେଆଇନ କଫ୍‌ ସିରଫ୍‌ ର‍୍ୟାକେଟ୍‌କୁ କାବୁକଲା ବଲାଙ୍ଗିର ପୁଲିସ : ୩୩ ଗିରଫ, ପାଖାପାଖି ୧୩ ହଜାର କଫ୍‌ ସିରଫ୍‌ ବୋତଲ ଜବତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର ଏଟେନ୍‌ସନ୍‌ ଏବେ ଅପରାଧୀ ଜଗତରେ ବଢେ଼ଇ ଦେଇଛି ଟେନ୍‌ସନ୍‌ । ଜିରୋ ଟଲୋରେନ୍ସ ନୀତିରେ ମାଡ଼ି ଚାଲିଛି ବଲାଙ୍ଗିର ପୁଲିସ । ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଆପଣେଇଛି କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ । ଅପରାଧଖୋର୍‌ ଅପରାଧୀଙ୍କୁ ଜବର୍‌ଦସ୍ତ ଧରପଗଡ଼ ସହ ସରକାରୀ ଜାଗରେ ରହିଥିବା ସେମାନଙ୍କ ଆଡ୍ଡାକୁ ବୁଲ୍‌ଡୋଜର୍‌ ଲଗାଇ ଧୂଳିସାତ୍‌ କରୁଥିବା ବେଳେ ମାଳ ମାଳ ଦେଶୀ ବିଦେଶୀ କୁଚିଆ ମଦ ବେପାରୀ ସହ ବେଆଇନ କଫ୍‌ ସିରଫ୍‌ ତଥା ନିଶା ଟାବ୍‌ଲେଟ୍‌ ବେପାରୀଙ୍କୁ ଗିରଫ୍‌ କରି ଜେଲ୍‌ ହାଜତ୍‌କୁ ପଠାଉଛି । ବେଆଇନ କଫ୍‌ ସିରଫ୍‌ ତଥା ନିଶା ଟାବ୍‌ଲେଟ୍‌ର ଅବାଧ ବେଆଇନ କାରବାର ଯୋଗୁଁ ସହରରେ କ୍ରାଇମ୍‌ ବଢ଼ୁଥିବା କୁହାଯାଉଥିବା ବେଳେ ଏବେ ବଲାଙ୍ଗିର ପୁଲିସ୍‌କୁ ମିଳିଛି ଏହି ଦିଗରେ ଏକ ବିରାଟ୍‌ ସଫଳତା । ଆନ୍ତଃରାଜ୍ୟ ବେଆଇନ କଫ୍‌ ସିରଫ୍‌ ର‍୍ୟାକେଟ୍‌ ଧରିବାରେ ସକ୍ଷମ ହୋଇଛି ବଲାଙ୍ଗିର ପୁଲିସ୍‌ । ଏହି ମାମଲାରେ ୩୩ ଜଣ ବେଆଇନ କଫ୍‌ ସିରଫ୍‌ ଯୋଗାଣକାରୀ, ପରିବହନକାରୀ ଓ ବିକ୍ରେତାଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ପାଖାପାଖି ୧୩ ହଜାର କଫ୍‌ ସିରଫ୍‌ ବୋତଲ ଜବତ କରାଯାଇଛି । ଏ ସଂପର୍କରେ ସ୍ଥାନୀୟ ଟାଉନ୍‌ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ନୀତିନ କୁଶଲ୍‌କର ସୂଚନା ଦେଇଛନ୍ତି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆନ୍ତଃରାଜ୍ୟ ବେଆଇନ କଫ୍‌ ସିରଫ୍‌ ର‍୍ୟାକେଟ୍‌କୁ କାବୁ କରାଯାଇଛି । ପଶ୍ଚିମବଙ୍ଗ କୋଲକାତାରୁ ବେଆଇନ ଏସ୍‌କଫ୍‌ କଫ୍‌ ସିରପ୍‌ କଟକ ଆସୁଥିବା ବେଳେ ସେଠାରୁ ବଲାଙ୍ଗିର ତଥା ସୀମାନ୍ତ ଜିଲ୍ଲାଗୁଡ଼ିକୁ ସପ୍ଲାଏ ହେଉଥିଲା ଏବଂ ଅବାଧ ଭାବେ ବିକ୍ରି ଚାଲିଥିଲା । ଏହି ରାକେଟ୍‌କୁ ଧରିବା ପାଇଁ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟର କେ.ପ୍ରିୟଙ୍କା ରାଉତରାୟ, ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ, ଏସ୍‌ଆଇ କିରଣ କୁମାର ଜାନୀ, ଏସ୍‌ଆଇ ରାକେଶ ବେହେରା ଓ ସାଇବର ସେଲ୍ ଏବଂ ଡିଭିଏଫ୍‌ କନଷ୍ଟେବଳଙ୍କ ଦଳଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା ଓ ଆରମ୍ଭ ହୋଇଥିଲା ଘନଘୋର୍‌ ତଦନ୍ତ । ଶେଷରେ ବଲାଙ୍ଗିର ପୁଲିସ ହାତରେ ଲାଗିଲା ବିଶେଷ ସଫଳତା । ଏହି ମାମଲାରେ ଏବେ ୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିଛି । ବଲାଙ୍ଗିର ସହରର ରୁଗୁଡ଼ିପଡ଼ାର ବାବୁଲୁ ଓରଫ୍‌ ଶଙ୍କର୍ଶଣ ବଗର୍ତ୍ତୀ (୪୦), ବରପାଲିପଡ଼ାର ରାଜକୁମାର ମେହେର (୨୨), ଠିକାଦାରପଡ଼ାର ରାଜେଶ ନାୟକ (୩୩), ପେଲେସଲାଇନ୍‌ର ଶିବୁ ଓରଫ ସମୀର ପଣ୍ଡା (୨୪), ବରପାଲିପଡ଼ାର ରାକେଶ ପ୍ରଧାନ(୨୧), ପେଲେସଲାଇନ୍‌ର ରାଜକୁମାର ରଣା(୧୯), ଚିମିନିଭାଟିର ରାଜ କିଶୋର ପ୍ରଧାନ (୩୦), ପେଲେସ୍‌ଲାଇନ୍‌ର ପାରସ ଡାଙ୍ଗ(୨୪), ବରପାଲିପଡ଼ାର ମଣ୍ଟୁ ଓରଫ ଧବଳେଶ୍ୱର ଜେନା (୨୩), ରାଧାରାଣୀପଡ଼ାର ରାଜେଶ ବେହେରା (୨୯), କଂସାରୀପଡ଼ାର ରତନ ସିଂ (୨୭), ମାଲପଡ଼ାର କଲିଙ୍ଗ ମେର୍‌ଲି (୪୦), ହାଟପଦାପଡ଼ାର ଘନଶ୍ୟାମ୍ ଜେନା (୫୮), ରାଜା ଜେନା (୨୮), ଠିକାଦାରପଡ଼ାର ଅଭୟ ସାହୁ (୩୮), ବରପାଲିପଡ଼ାର ହରେଶ ପ୍ରଧାନ (୨୪), ରାଜୀବନଗରର ବାବୁଲୁ ବେହେରା (୨୮), ମାଲପଡ଼ାର ପ୍ରଶାନ୍ତ ଖେତି (୩୫), ବରପାଲିପଡ଼ାର ଯାଜ୍ଞସେନୀ ମେହେର ଏବଂ ବଲାଙ୍ଗିର ସଦର ଥାନାର ଆନନ୍ଦ ସାଣ୍ଢ (୨୩), ପୁଇଁନ୍ତଲା ଥାନାର ସତ୍ୟ ପ୍ରଧାନ (୨୨), ବରଗଡ଼ ଜିଲ୍ଲାର ନେହେରୁ ସାହୁ (୩୮), ହରିଶ ଚନ୍ଦ୍ର ସାହୁ (୪୦), କାର୍ତର ସିଂ (୨୧), ସୁରେଶ ପାତ୍ର (୨୧), ୟୁପିର ରାଜ କପୁର (୨୩), ରବି କୁମାର ପାଲ (୨୪), କଟକ ଜିଲ୍ଲାର ମହିମା ରାଉତ(୨୫), ପବନ ମଲ୍ଲିକ(୨୮), ସୋମନାଥ ବେହେରା (୧୯), ରଣଜିତ ରାଉତ(୨୯), ସରୋଜ ଜେନା (୨୬), ତୋଫାନ୍‌ ବଢେଇ(୨୬)କୁ ଗିରଫ୍‌ କରାଯାଇଥିବା ଜଣାପଡ଼ିଛି । ଗିରଫ୍‌ ଅଭିଯୁକ୍ତମାନଙ୍କଠାରୁ ୧୨ ହଜାର ୯ ଶହ ୬୦ଟି ଏସ୍‌କଫ୍‌ କଫ୍‌ ସିରପ୍‌ ବୋତଲ (ଯାହାର ବଜାର ମୂଲ୍ୟ ୩୫ ଲକ୍ଷ ହେବ), ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ମହିନ୍ଦ୍ରା xuv700 ଗାଡ଼ି, ଦୁଇଟି ମହିନ୍ଦ୍ରା ପିକ୍‌ଅପ୍‌ ଭେନ୍‌, ଗୋଟିଏ ଟାଟା ଏସ୍‌ଇ ଗାଡ଼ି, ଗୋଟିଏ ୟାମମହା ମୋଟର ସାଇକେଲ୍‌, ଗୋଟିଏ ହିରୋ ଗ୍ଲାମର ବାଇକ୍‌, ୧୭ଟି ମୋବାଇଲ୍‌ ଫୋନ୍‌, ନଗଦ ୭ ହଜାର ୫୦୦ ଟଙ୍କା ସହ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ୍‌ କରାଯାଇଥିବା ସୂଚନାରେ କୁହାଯାଇଛି । ଏହା ସହ କୋଲକାତାର ଏମ୍‌ଏସ୍‌ ଡ୍ରାଫୋଡିଲ୍‌ ଡ୍ରଗ୍ସ ପ୍ରାଇଭେଟ୍‌ ଲିମିଟେଡ଼୍‌ର ୨ କୋଟି ଟଙ୍କାର ସାମଗ୍ରୀ ପୋଲିସ ଦ୍ୱାରା ସିଜ୍‌ କରାଯାଇଥିବା ଏସ୍‌ପି ନୀତିନ କୁଶଲ୍‌କର୍‌ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one × one =