‘କୋଶଳ ପ୍ରବାହ’ର ପ୍ରଭାବ : ସାଂସଦ ସଙ୍ଗିତାଙ୍କ କଡା ଚେତାବନୀ, ରୋଗୀ ଚିକିତ୍ସା ବାଧିତ ହେଲେ ରଦ୍ଦ କରାଯିବ ଚୁକ୍ତିନାମା

  • ୩ଜଣ ବଦଳରେ ମାତ୍ର ଜଣେ ଟେକନିସିଆନ୍‌
  • ବିଭାଗର ସମସ୍ତ ଏସି ଦୁର୍ବଳ
  • ହାତରେ ସଫା ହେଉଛି ଡାଇଲାଇଜର
  • ବ୍ୟବସ୍ଥା ସୁଧାରିବାକୁ ୧୦ ଦିନ ଦେଲେ ମହଲତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲର ଡାଏଲିସିସ୍‌ ଓ ଅଲ୍‌ଟ୍ରାସାଉଣ୍ଡ ବିଭାଗର ସାଂଘାତିକ ଅବସ୍ଥା ନେଇ ‘କୋଶଳ ପ୍ରବାହ’ରେ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ବଲାଙ୍ଗିର ସାଂସଦ ମେଡିକାଲକୁ ପହଞ୍ଚି ବିଭାଗର ଅବସ୍ଥା ପରଖିଛନ୍ତି । ରୋଗୀଙ୍କୁ ଦିଆଯାଉଥିବା ସେବା ଚୁକ୍ତିନାମା ଅନୁସାରେ ହେଉନଥିବା ପ୍ରମାଣ ପାଇବା ପରେ ସଙ୍ଗୀତା ମେଡିକାଲ କର୍ତ୍ତୃପକ୍ଷ ଓ ନିୟୋଜିତ ସଂସ୍ଥାକୁ ଖୋଲା ଚେତାବନୀ ଦେଇଛନ୍ତି । ୧୦ ଦିନ ମଧ୍ୟରେ ବ୍ୟବସ୍ଥା ସୁଧାରିବା ସହ ଚୁକ୍ତି ଅନୁସାରେ ସେବା ଯୋଗଇ ନଦେଲେ, ଚୁକ୍ତିନାମାକୁ ରଦ୍ଦ କରାଯିବା ସହିତ ଉକ୍ତ ସଂସ୍ଥା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଡାଏଲିସିସ୍‌ ଓ ଅଲ୍‌ଟ୍ରାସାଉଣ୍ଡ ଭଳି ଦୁଇଟି ଅତି ଗୁରୁତ୍ୱପୁର୍ଣ୍ଣ ବିଭାଗର ଦୂରାବସ୍ଥା ଖବର ପାଇଁ ବଲାଙ୍ଗିର ସାଂସଦ ସଙ୍ଗୀତା ଦେବୀ ଶୁକ୍ରବାର ଦିନ ତୁରନ୍ତ ଭୀମ ଭୋଇ ମେଡିକାଲ ପହଞ୍ଚି ଉଭୟ ବିଭାଗ ତଦାରଖ କରିଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ହେଉଥିବା ଅବହେଳାକୁ ହୃଦୟଙ୍ଗମ କରି ସଙ୍ଗୀତା ବେସରକାରୀ ସଂସ୍ଥାମାନଙ୍କ ସହ କରାଯାଇଥିବା ଚୁକ୍ତିନାମା ଆଣିବାକୁ କହିଥିଲେ । ଚୁକ୍ତିନାମାରୁ ଜଣାପଡିଥିଲା ଯେ, ପ୍ରତି ତିନୋଟି ବ୍ୟାଡ୍‌କୁ ଜଣେ ଟେକନିସିଆନ୍‌ ରହିବା କଥା । କିନ୍ତୁ ନିୟମ ବିରୁଦ୍ଧରେ ବିଭାଗରେ ଜଣେ ମାତ୍ର ଟେକନିସିଆନ୍‌ ରହିଛନ୍ତି । ସେହିପରି ଡାଏଲିସିସ୍‌ ମେସିନରେ ଲାଗୁଥିବା ଡଇଲାଜରକୁ ମେସିନ ବଦଳରେ ହାତରେ ସଫା କରାଯାଉଛି, ଯାହା କିଡନୀ ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ସାଂଘାତିକ ବୋଲି ସାଂସଦ ଜାଣିବାକୁ ପାଇଲେ । ରୋଗୀଙ୍କ ଅବସ୍ଥା ପଚାରି ବୁଝିବା ବେଳେ ବିଭାଗର ସମସ୍ତ ଏସି ଅତି ଦୁର୍ବଳ ରହିଛି, ଯଦ୍ୱାରା ଥଣ୍ଡା ହେଉନାହିଁ । ଆହୁରି ରୋଗୀ ତଥା ପରିଜନଙ୍କ ପାଇଁ ଥଣ୍ଡା ପିଇବା ପାଣି ମଧ୍ୟ ମିଳୁନଥିବା ରୋଗୀମାନେ ଅଭିଯୋଗ କରିଥିଲେ । ସେହିପରି ଅଲ୍‌ଟ୍ରାସାଉଣ୍ଡ ବିଭାଗର ଡାକ୍ତର ଭିଆର୍‌ଏସ୍‌ ଆବେଦନ କରି କୁଆଡେ ଚାଲି ଯାଇଥିବା ବେଳେ ଜଣେ ବେସରକାରୀ ଡାକ୍ତରଙ୍କୁ ଆଣି ଦିନକୁ ଦୁଇ ଘଣ୍ଟାରେ ମାତ୍ର ଦଶଟି ଅଲ୍‌ଟ୍ରାସାଉଣ୍ଡ କରି କାମ ସାରି ଦିଆଯାଉଛି ବୋଲି ସାଂସଦ ଜାଣିବାକୁ ପାଇଥିଲେ । ତେବେ ମେଡିକାଲର ଏ ଦୂରାବସ୍ଥା ସ୍ୱଚକ୍ଷୁରେ ଦେଖିବା ପରେ ସାଂସଦ ଉଭୟ ସଂସ୍ଥା ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ୧୦ ଦିନ ଭିତରେ ବ୍ୟବସ୍ଥା ସୁଧାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟଥା ଉକ୍ତ ସଂସ୍ଥାମାନଙ୍କ ଚୁକ୍ତିନାମାକୁ ରଦ୍ଦ କରି ଦିଆଯିବ ବୋଲି କଡା ଚେତାବନୀ ଦେଇଥିଲେ । ରୋଗୀମାନେ ତାଙ୍କ ଗହଣରେ ସାଂସଦଙ୍କୁ ପାଇଁ ନିଜ ଦୁଃଖ ଦୁର୍ଦ୍ଦଶା ବିଷୟରେ ଶ୍ରୀମତୀ ସଙ୍ଗୀତାଙ୍କୁ ଅବଗତ କରିଥିଲେ ।

Leave A Reply

Your email address will not be published.

seventeen − 13 =