ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଡେପୁଟେସନକୁ ନେଇ ଜନ ଅସନ୍ତୋଷ : ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଲେ ଅଂଚଳବାସୀ

  • ପଦ୍ମପୁର ଡାକ୍ତରଖାନାରେ ଡାକ୍ତର ଅଭାବ : ବ୍ୟାପକ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରୁ ବରଗଡ଼ ମୁଖ୍ୟାଳୟକୁ ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁଙ୍କୁ ବଦଳି କରାଯାଇ ଥିବାରୁ ପଦ୍ମପୁର ଅଂଚଳରେ ଜନ ଅସନ୍ତୋଷ ଦେଖାଦେଉଛି । ଫଳରେ ଆଜି ପଦ୍ମପୁର ବିଜେପି ନେତୃତ୍ୱରେ ପ୍ରିତେଶ ବହିଦାର, ଅଶୋକ ମିଶ୍ର, ସୁନୀଲ ଅଗ୍ରୱାଲ, ହରି ସିଂ, ଆଦିତ୍ୟ ରଥ, ଡ଼. ନାରାୟଣ ପୁରୋହିତ, ଜ୍ୟୋସ୍ନାରାଣୀ କର, ନରୋତ୍ତତ୍ତମ ପ୍ରଧାନ, ପ୍ରତାପ ନାଥ, ଅଜୟ ଅଗ୍ରୱାଲ, ଦୀନେଶ ବାରିକ, ମଣ୍ଟୁ ପାଣ୍ଡେ, ରୋହିତ ସେଠ, ନିରୋଜ ମେହେର ପ୍ରମୁଖଙ୍କ ଉପସ୍ଥିତିରେ ଏସ୍‌ଡିଏମ୍‌ଓ ଡାକ୍ତର ସରୋଜ ସେଠଙ୍କୁ ଦାବିପତ୍ର ମାଧ୍ୟମରେ ଆଗକୁ ସମସ୍ୟା ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବାସହ ଆବଶ୍ୟକତା ଥିବା ଡ଼ାକ୍ତରଖାନାର ସମସ୍ତ ଡାକ୍ତର, ଷ୍ଟାଫ ପୁରଣ ସହ ଡାକ୍ତରଖାନାରେ ଫିଜିଓଥୋରାପି ଚିକିତ୍ସା ସାମଗ୍ରୀ ମହଜୁଦ ଥିବାବେଳେ ଫିଜିଓଥୋରାପି ଡାକ୍ତର ନାହାନ୍ତି ଏଣୁ ସରକାର ଫିଜିଓଥୋରାପି ଡାକ୍ତର ଯୋଗାଇ ଦେବାପାଇଁ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଗତ ୨୧ ତାରିଖ ଦିନ ବରଗଡ଼ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନସର ହସ୍ପିଟାଲର ଶୁଭାରମ୍ଭ କରିଛନ୍ତି ହେଲେ ଉକ୍ତ ନୂଆ ଉଦ୍‌ଘାଟିତ ହୋଇଥିବା କ୍ୟାନସର ଡାକ୍ତରଖାନାରେ ନିଶ୍ଚେତକ ଡାକ୍ତର ଯୋଗାଇଦେଇ ନାହାନ୍ତି ଫଳରେ ଶୁଭାରମ୍ଭ ହୋଇଥିବା କ୍ୟାନସର ବିଭାଗ ଏକ ପ୍ରକାରର ଅଚଳ ହେଉଛି ଯାହାକୁ ଆଖି ଆଗରେ ରଖି ସରକାର ନୂଆ ନିଶ୍ଚେତକ ଡ଼ାକ୍ତର ଯୋଗାଇଦେବା ବଦଳରେ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ହୋଇଥିବା ଏକମାତ୍ର ନିଶ୍ଚେତକ ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଡେପୁଟେସନରେ ନେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ସମାଜ ସେବୀ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବାରୁ ଉକ୍ତ ଡାକ୍ତରଙ୍କୁ ସପ୍ତାହର ଶେଷ ତିନିଦିନ ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ବରଗଡ଼ କ୍ୟାନସର ବିଭାଗରେ କାମ କରିବା ପାଇଁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଜନ ଅସନ୍ତୋଷ ଦ୍ଵିଗୁଣିତ ହୋଇଛି । ସରକାର ନୂତନ ଶୁଭାରମ୍ଭ କରିଥିବା କ୍ୟାନସର ବିଭାଗରେ ସମସ୍ତ ଡାକ୍ତରଙ୍କ ସମେତ ନୂତନ କର୍ମଚାରୀ ନିଯୁକ୍ତ ନ କରି ଜିଲ୍ଲା ଭିତରେ ଥିବା ବିଭିନ୍ନ ସ୍ଥାନରୁ ଡାକ୍ତର କିମ୍ବା କର୍ମଚାରୀ ନେଇ ବିଭାଗ ଚାଲାଇଲେ ଆନ୍ଦୋଳନ ହେବ ବୋଲି ଯୁବନେତା ପ୍ରୀତେଶ କୁମାର ବହିଦାର ଚେତାବନୀ ଦେଇଥିଲେ । ପଦ୍ମପୁର ସରକାରୀ ଡାକ୍ତରଖାନାରୁ ଡେପୁଟେସନରେ ନେଇଥିବା ଡ଼ାକ୍ତରଙ୍କ ନିର୍ଦ୍ଦେଶନାମା ଶୀଘ୍ର ବାତିଲ ହେଉ ବୋଲି ପ୍ରତିକ୍ରିୟା ଦେଇଛନ୍ତି ନହେଲେ ବଡ ଧରଣର ଆନ୍ଦୋଳନ ଚେତାବନୀ ଦେଇ କହିଥିଲେ ଯେ ପଦ୍ମପୁର ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ରହିଥିବା ବେଳେ ଏଠାରୁ ଡାକ୍ତରଙ୍କୁ ଡେପୁଟେସନରେ ନେବା ଅଂଚଳର ଜନସାଧାରଣଙ୍କୁ ପ୍ରତାରଣା ଦେବା ସହ ସମାନ ଏଣୁ ଡାକ୍ତର ଅଭାବ ଦେଖାଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଆଜି ସଚେତନ ନାଗରିକଙ୍କ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

eleven + twenty =