pakka

ଇଟ୍ ସ୍ମାର୍ଟ ସିଟିଜ୍ ଚାଲେଞ୍ଜ ଜିତିଲା ରାଉରକେଲା

bbehera

• ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇଟ୍ ସ୍ମାର୍ଟ ସିଟିଜ୍ ଚାଲେଞ୍ଜ ବିଜେତା ସହରମାନଙ୍କ ନାମ ଘୋଷଣା ; ଦେଶର ୧୧ଟି ସ୍ମାର୍ଟ ସହର ଜିତିଲେ ପୁରସ୍କାର
• ସୁରକ୍ଷିତ ଖାଦ୍ୟ ପ୍ରଣାଳୀ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଥିବାରୁ ପୁରସ୍କାର ଜିତିଲା ରାଉରକେଲା

ଭୁବନେଶ୍ୱର, (ପିଆଇବି) : ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଇଟ୍‌ ସ୍ମାର୍ଟ ସିଟିଜ୍ ଚାଲେଞ୍ଜ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଏହି ଚାଲେଞ୍ଜରେ ଓଡ଼ିଶାର ରାଉରକେଲା ସମେତ ଦେଶର ୧୧ଟି ସହର ବିଜୟୀ ହୋଇଛନ୍ତି । ଏବେ ଏହି ୧୧ଟି ସହର ଚାଲେଞ୍ଜର ଅଧିକ ଗଭୀର ସମ୍ପୃକ୍ତି (ଡିପର ଏନଗେଜମେଣ୍ଟ) ସ୍ତରରେ ପ୍ରବେଶ କରିଛନ୍ତି । ଫଳରେ ପୂର୍ବରୁ ପରୀକ୍ଷାମୂଳକ ପର୍ଯ୍ୟାୟରେ ଏସବୁ ସହରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଦୀର୍ଘସ୍ଥାୟୀ ଆଧାରରେ କାର୍ଯ୍ୟକାରୀ କରାଯିବ । ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ର ସହଭାଗିତାରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଚାଲେଞ୍ଜର ଶୁଭାରମ୍ଭ କରାଯାଇଥିଲା । ସହରାଞ୍ଚଳ ସ୍ତରରେ ଇଟ୍ ରାଇଟ୍ ଇଣ୍ଡିଆ ଆପ୍ରୋଚ୍ (ଉପଯୁକ୍ତ ଖାଦ୍ୟ ଗ୍ରହଣ ଦୃଷ୍ଟିକୋଣ)କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ପାଇଲଟ୍ ବା ପରୀକ୍ଷାମୂଳକ ପର୍ଯ୍ୟାୟରେ ଏହି ଚାଲେଞ୍ଜରେ ବିଜୟୀ ହୋଇଥିବା ୧୧ଟି ସହର ହେଲେ – ରାଉରକେଲା, ଚଣ୍ଡିଗଡ଼, ଇନ୍ଦୋର, ଜମ୍ମୁ, ଜବଲପୁର, ପାଣାଜୀ, ରାଜକୋଟ, ସାଗର, ସୁରଟ, ଟୁମକୁରୁ ଏବଂ ଉଜ୍ଜୈନୀ । ଖାଦ୍ୟ ପ୍ରଣାଳୀରେ କେତେ ଅଭିନବ ପଦକ୍ଷେପ ପାଇଁ ରାଉରକେଲାକୁ ବିଜେତା ସହର ମାନ୍ୟତା ମିଳିଛି । ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ସହର ଏକ ଆର୍ଥିକ ଦୃଷ୍ଟିକୋଣ ଆପଣାଇଛି । ବ୍ଲୁମବର୍ଗ ଫିଲାନ୍ଥ୍ରୋପିଜ୍ ଦ୍ଵାରା ଆୟୋଜିତ ୨୦୨୧ ଗ୍ଲୋବାଲ ମେୟର୍ସ ଚାଲେଞ୍ଜରେ ରାଉରକେଲା ଦୁଇଟି ଭାରତୀୟ ସହର ମଧ୍ୟରେ ଅନ୍ୟତମ ସହର ଭାବେ ଚାମ୍ପିଅନ୍ ସିଟି ମାନ୍ୟତା ପାଇଥିଲା । ଆବର୍ଜନା ହ୍ରାସ ପାଇଁ ସହରରେ ସୌର ଶକ୍ତି ପରିଚାଳିତ ଶୀତଳ ଭଣ୍ଡାର ଏବଂ ମହିଳା ଉଦ୍ୟମିତା ନିମନ୍ତେ ସହାୟତା ଯୋଗାଇ ଦିଆଯାଇଛି । କ୍ଷୁଦ୍ର ଚାଷୀ ଏବଂ ଉଠାଦୋକାନୀଙ୍କ ସଶକ୍ତିକରଣ ପାଇଁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଏହି ଶୀତଳ ଭଣ୍ଡାରଗୁଡ଼ିକ ପରିଚାଳନା କରାଯାଉଛି । ରାଉରକେଲା ‘୧୫ ମିନିଟ୍ ସହର’ରେ ପରିଣତ ହେବା ଲାଗି ଲକ୍ଷ୍ୟ ରଖିଛି । ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ସଚିବ ଶ୍ରୀ ମନୋଜ ଯୋଶୀ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ସ୍ମାର୍ଟସିଟିଗୁଡ଼ିକର ନାମ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ଏଫଏସଏସଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରୁଣ ସିଂଘଲ ଉପସ୍ଥିତ ଥିଲେ । ଏହି ଚାଲେଞ୍ଜରେ ସହାୟତା କରିଥିବା ମିଲାନ୍ ଅର୍ବନା ଫୁଡ୍ ପଲିସି ପ୍ୟାକ୍ଟ (ଏମୟୁଏଫଏଫ), ବ୍ରିଟେନର ଦ ଫୁଡ୍ ଫାଉଣ୍ଡେସନର ମୂଲ୍ୟାଙ୍କନ କମିଟି ବିଶେଷଜ୍ଞ ବିଶେଷଜ୍ଞଙ୍କ ସମେତ ଭାରତ, ବିଶ୍ୱସ୍ତରୀୟ ଅଧିକାରୀ, ପୁରସ୍କାର ବିଜେତା ସହରର ପ୍ରତିନିଧି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଗଣ ଏବଂ ୧୦୦ଟି ସ୍ମାର୍ଟ ସିଟିର ମହାନଗର ନିଗମ କମିଶନରମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ମନୋଜ ଯୋଶୀ କହିଥିଲେ ଯେ ଇଟ୍ ରାଇଟ୍ ଇଣ୍ଡିଆ ଆପ୍ରୋଚ୍ ଆଜି ସ୍ମାର୍ଟ ସିଟି ସ୍ତରରେ ବୃଦ୍ଧି ପାଇବା ଖୁସିର ବିଷୟ । ଦେଶର ସବୁ ସହରରେ ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା, ଖାଦ୍ୟ ନିରାପତ୍ତା ଓ ନିୟାମକ ପରିବେଶକୁ ସୁଦୃଢ଼ କରିବା, ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ଭାରତୀୟ ସହରରେ ଉନ୍ନତ ଖାଦ୍ୟ ବିକଳ୍ପ ଉପଲବ୍ଧ କରିବାରେ ଏହି ପ୍ରତିଯୋଗିତା ବିଶେଷ ସହାୟକ ହୋଇପାରିବ । ସ୍ମାର୍ଟ ସିଟି ମିଶନରେ ସାମିଲ ହୋଇଥିବା ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଏହି ଚାଲେଞ୍ଜରେ ଅଂଶଗ୍ରହଣ କରିଥିଲେ । ୩୬ ସହର ପକ୍ଷରୁ ସେମାନଙ୍କର ସ୍କୋର କାର୍ଡ ଏବଂ ଭିଜନ୍ ଫର୍ମ ଦାଖଲ କରାଯାଇଥିଲା । ବିଚାରକ ମଣ୍ଡଳୀଙ୍କ ମୂଲ୍ୟାଙ୍କନ ପରେ ୧୧ଟି ସହରକୁ ଚୟନ କରାଯାଇଥିଲା । ବିଜେତା ସହରମାନଙ୍କୁ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ । ଏସବୁ ସହରରେ ଆସନ୍ତା ୧୨ ମାସ ମଧ୍ୟରେ ଇଟ୍ ରାଇଟ୍ ଇଣ୍ଡିଆ ଅଭିଯାନକୁ କାର୍ଯ୍ୟକାରୀ କରାଯିବା ସହିତ ଅଧିକ ଗଭୀର ସମ୍ପୃକ୍ତି ପାଇଁ ବିଭିନ୍ନ ପ୍ରକାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

jay balangir
Leave A Reply

Your email address will not be published.

sixteen + nine =

error: Content is protected !!