om academy

ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା : ଚାଲିଗଲେ ସାଆନ୍ତ କବି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା । ଗତ ରାତି ପ୍ରାୟ ୧୧ଟା ସମୟରେ ବଲାଙ୍ଗିର କିମ୍‌ସ୍‌ କୋଭିଡ୍‌ କେୟାର୍‌ ସେଂଟର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ ସୋମବାର ଦିନ କୋଭିଡ଼ ଆକ୍ରାନ୍ତ ହେବାପରେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମଙ୍ଗଳବାର ଦିନ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ଦିନ ସକାଳୁ ତାଙ୍କୁ ବଲାଙ୍ଗିର କିମ୍‌ସ୍‌ କୋଭିଡ୍‌ କେୟାର୍‌ ସେଂଟର୍‌କୁ ଅଣାଯାଇଥିଲା । ଚିକିତ୍ସକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ଗତକାଲି ରାତିରେ ମାତ୍ର ୫୫ ବର୍ଷ ବୟସରେ କବି ଚତୁର୍ଭୁଜ ସାଆନ୍ତଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି ।

କବି ଚତୁର୍ଭଜଙ୍କ କୋଶଲୀ କବିତା ଗ୍ରନ୍ଥ ‘ଦଲ୍‌ଦଲି’ ଓ ‘ଧର୍‌ସା’ କୋଶଲୀ ସାହିତ୍ୟ ଜଗତ ପାଇଁ ଅମୂଲ୍ୟ ଦାନ । ତାଙ୍କ କବିତା ଜଗତରେ ରହିଥିବା ଗଭୀର ଭାବ ଓ ମାଟିମନସ୍କ ପ୍ରଚଣ୍ଡ ମାନସିକତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଟିଟିଲାଗଡ଼ ବିଇଓ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ ସେ କାର୍ଯ୍ୟରତ ଥିଲେ ମଧ୍ୟ ଜଣେ ନିଆରା କବି ଭାବେ ସାରା ପଶ୍ଚିମ ଓଡ଼ିଶାରେ ପରିଚିତ ଥିଲେ । କବିତା ଲେଖିବା ଅପେକ୍ଷା କବିତାକୁ ମନଭରି ଜୀଇଁବାକୁ ତାଙ୍କ ଭିତରେ ପ୍ରବଳ ଆବେଗ ଭରି ରହିଥିଲା । ତାଙ୍କ ଭିତରେ ଭରି ରହିଥିଲା ଜୀବନ ଦର୍ଶନର ଏକ ପରିବ୍ୟାପ୍ତ ଆକାଶ । ତାଙ୍କୁ ହରାଇ ଆଜି ଏକ ବିରାଟ ଶୂନ୍ୟସ୍ଥାନକୁ ସାମ୍ନା କରିଛି କୋଶଲୀ ସାହିତ୍ୟ ଜଗତ ।

ବଲାଙ୍ଗିର ନିକଟସ୍ଥ ଶିବତଲା ପାଖରେ ରହିଥିବା ତାଲପାଲି ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ରାଜେନ୍ଦ୍ର ମହାବିଦ୍ୟାଳୟରେ ପଢ଼ିବା ଦିନଠାରୁ ବଲାଙ୍ଗିର ସହରରେ ରହି ଆସୁଥିଲେ । ପରବର୍ତ୍ତୀ ସମୟରେ ସେ ଟିଟିଲାଗଡ଼ରେ ସକୁଟୁମ୍ବ ଦୀର୍ଘ ବର୍ଷ ହେଲା ରହିଥିଲେ । ଜଣେ ବନ୍ଧୁବତ୍ସଳ, ସ୍ନେହୀ, ଦରଦୀ ମଣିଷ ଭାବରେ ସେ ଟିଟିଲାଗଡ଼ର ଘରେ ଘରେ ପରିଚିତ ଥିଲେ । ସାହିତ୍ୟ ସଂସ୍କୃତି ଦିଗରେ ତାଙ୍କର ବିଶେଷ ଶ୍ରଦ୍ଧା ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ ।

ତାଙ୍କୁ ହରାଇ ଆଜି ଟିଟିଲାଗଡ଼ ମାଟି ତଥା ବଲାଙ୍ଗିର ମାଟି ଅନେକ କିଛି ହରାଇଛି ବୋଲି ସାହିତ୍ୟିକ ମହଲରେ ମତପ୍ରକାଶ ପାଇଛି । ଶିକ୍ଷା ବିଭାଗର ସହକର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ‘କୋଶଳ ପ୍ରବାହ’ ପରିବାର ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛି ।

ତାଙ୍କ ଧର୍ମପତ୍ନୀ ତଥା ଦୁଇ ଝିଅଙ୍କୁ ଛାଡ଼ି ସେ ସ୍ୱର୍ଗାରୋହଣ କରିଛନ୍ତି । ତାଙ୍କ ଭଳି ଜଣେ କବି ଏଇ ମାଟିର ଅମୂଲ୍ୟ ସଂପାଦ ବୋଲି କୁହାଯାଉଥିବା ବେଳେ ସେ ସବୁଦିନ ପାଇଁ କୋଶଲୀ ସାହିତ୍ୟ ଜଗତରେ ଅମର ହୋଇ ରହିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.