ବସ୍ କର୍ମଚାରୀଙ୍କ ପାଇଁ ରାସନ ଦାବୀ କଲା ବସ୍ ମାଲିକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାୟ ଦୁଇ ମାସ ହେଲା ରାଜ୍ୟରେ ଲକଡାଉନ୍‌ ଯୋଗୁଁ ବସ ଚଳାଚଳ ବନ୍ଦ ରହିଛି । ବସ ଚଳାଚଳ ବନ୍ଦ ଯୋଗୁଁ ବଲାଙ୍ଗିର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ୧୨୦ଟି ବସ୍‌ର ୪୫୦ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଛି । ଆର୍ଥିକ ଅନାଟନ ମଧ୍ୟରେ ସେମାନେ ହାତ ବାନ୍ଧି ବସି ରହିଛନ୍ତି ଓ ସରକାରଙ୍କ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନାର ପ୍ରଥମ ଲହର ଠାରୁ ବସ ମାଲିକମାନେ କ୍ଷତି ସହି ଆସୁଛନ୍ତି । ପ୍ରଥମ ଲହର ଲକ୍‌ଡାଉନ୍‌କୁ ସରକାର ଉଠାଇବା ପରେ ବ୍ୟବସାୟରେ କ୍ଷତି ସହି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଠାରୁ ଅପେକ୍ଷାକୃତ ଭାବେ ଶୀଘ୍ର ବଲାଙ୍ଗିର ଜିଲ୍ଲାରେ ବସ ଚଳାଚଳକୁ ସାଧାରଣ କରିବାରେ ବସ କର୍ମଚାରୀ ଓ ମାଲିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କରୋନାର ଦ୍ଵିତୀୟ ଲହର ଲକଡାଉନ ସମୟରେ ବସ୍ ମାଲିକ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମାର୍ଗଦର୍ଶିକାକୁ ଅଣଦେଖା କରି ଟାଟା ଫାଇନାନ୍ସ ଓ ଚୋଳମଣ୍ଡଳମ ଭଳି ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାମାନେ ବସମାଲିକ ମାନଙ୍କଠାରୁ ଲକଡାଉନ ସମୟରେ ସୁଧ ସହ କିସ୍ତି ଆଦାୟ କରୁଛନ୍ତି ଫଳରେ ବସମାଲିକ ମାନଙ୍କ ଆର୍ଥିକସ୍ଥିତି ମଧ୍ୟ ଦୋହଲି ଯାଇଛି । ଏହି ପରିସ୍ଥିତିରେ ବସ୍ କର୍ମଚାରୀ ମାନେ ଅସହାୟ ହୋଇ ପଡ଼ିଛନ୍ତି । ତେଣୁ ବସ କର୍ମଚାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ସହାୟତା ପ୍ରଦାନ କରିବା ପାଇଁ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଅନୁରୋଧ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହାକୁ ସହୃଦୟତାର ସହ ବିଚାର କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟ ଏକ ଦାବୀପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି । ବଲାଙ୍ଗିର ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବଶଙ୍କର ପଟେଲ, ହିମାଂଶୁ ନାୟକ ପ୍ରମୁଖ ଦାବୀପତ୍ର ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.

four × 4 =