ଗନ୍ଧରେଲ୍‌ ଡେମ୍‌ର ବିକାଶ ହେବ, ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଉପକଣ୍ଠ ସଦାଇପାଲି ପଂଚାୟତ ଅନ୍ତର୍ଗତ ଚଟିଆପାଲି ଗ୍ରାମ ନିକଟରେ ଥିବା ଗନ୍ଧରେଲ୍‌ ଡେମ୍‌ର ବହୁମୁଖୀ ବିକାଶ ପାଇଁ ଲୋକେ ଚାହିଁଁଥିଲେ, କାରଣ ଏହା କେବଳ ଗୋଟିଏ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନଥିଲା, ଏହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ, ଏଠାକୁ ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଲୋକେ ବଣଭୋଜି ସହ ପରିଭ୍ରମଣରେ ଆସିଥାନ୍ତି । ତେଣୁ ୨୦୨୦ ମସିହାରେ ଏହାର ବିକାଶ ପାଇଁ ପରିକଳ୍ପନା କରାଯାଇ ଥିଲା, ଯାହାର କି ଆଜି ଭିତ୍ତି ପ୍ରସ୍ତର ଦିଆଯାଉଛି । ଏହି ପ୍ରକଳ୍ପ ନିଶ୍ଚିତ ଭାବରେ ଜମିକୁ ଜଳସେଚନ ସହ ଲୋକଙ୍କ ଆର୍ଥିକ ଅବସ୍ଥା ଉନ୍ନତିରେ ସାହାୟକ ହେବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଆୟୋଜିତ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଡେମ ଚାଳିଶ ବର୍ଷରୁ ଅଧିକ ବର୍ଷ ହେବ ନିର୍ମାଣ ହୋଇଛି । ସମୟାନୁକ୍ରମେ ଏହା ଧିରେ ଧିରେ ପୋତି ହୋଇ ଏହାର କେନାଲ ଓ ଜଳ ନିଷ୍କାସନ ପଥ ପୋତି ହେବାରେ ଲାଗିଲାଣି । ତେଣୁ ଏସବୁର ନବୀକରଣ ସାଙ୍ଗକୁ ପ୍ରକଳ୍ପର ଜଳଧାରଣ କ୍ଷମତା ବଢାଯିବ । ଏହାସହ ପ୍ରକଳ୍ପର ଚାରିକଡ଼ରେ ଥିବା ପାହାଡ଼, ଜଙ୍ଗଲର ସୁରକ୍ଷା ସାଙ୍ଗକୁ ତାର ପାରିପାର୍ଶ୍ଵିକ ବିକାଶ ହେଲେ ଏ ଅଂଚଳକୁ ପର୍ଯ୍ୟଟକ ଆକୃଷ୍ଟ ହୋଇ ବୁଲିବାକୁ ଆସିବେ, ଯାହାକି ଅଂଚଳର ଲୋକେ ରୋଜଗାର ପାଇବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଗନ୍ଧରେଲ୍‌ ପ୍ରକଳ୍ପକୁ ଆସୁଥିବା ରାସ୍ତାର ଉନ୍ନତି ମଧ୍ୟ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ଦ୍ୱାରା କରାଯିବ ବୋଲି ଲୋକଙ୍କ ପ୍ରଶ୍ନର ଉତ୍ତରରେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୦ ମସିହାରେ ବଲାଙ୍ଗିର ବିଧାୟକଙ୍କ ନିର୍ଦ୍ଦେଶରେ ପ୍ରକଳ୍ପ ଅଂଚଳ ଦେଖି ଅସି ଥିବା ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ପ୍ରକଳ୍ପ ପାଇଁ ୭କୋଟି ଟଙ୍କାର ଏକ ଡି.ପି.ଆର୍‌ ପ୍ରସ୍ତୁତ ହୋଇଥିଲା । ସେଥିରୁ ଏକ କୋଟି ଅଠାଅଶି ଲକ୍ଷ ତେୟାଆଶି ହଜାର ତିନିଶହ ଚଉତିରିଶ ଟଙ୍କାର ଅନୁଦାନ ମଂଜୁର ହୋଇ କାର୍ଯ୍ୟକାରୀ ସଂସ୍ଥା ନିଯୁକ୍ତ ହୋଇସାରିଛି । ଦୁଇ ଦିନ ଭିତରେ ଏହାର ମୁଖ୍ୟ କେନାଲ କାମ ଆରମ୍ଭ ହେବ ବୋଲି କାର୍ଯ୍ୟକାରୀ ସଂସ୍ଥା ସୂଚନା ଦେଇଛନ୍ତି । ଆଜିର ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନାରୀ ନେତ୍ରୀ ଅକ୍ଷରତିପ୍ରୀତି ନାଗ, ବିଧୁରଞ୍ଜନ ନାଗ, ଫକୀର ମୋହନ ଥାଟି, ପ୍ରତାପ ବାଗ, ଫିରୋଜ ସାଏ, ମନୋରଞ୍ଜନ ସାଏ, ଡ. ପ୍ରଶାନ୍ତ ପଧାନ, ଶିକ୍ଷା ନୋମିନି ଦାମୋଦର ମିଶ୍ର, ଅଙ୍କିତ ସାହୁ, ସୁବଳ ରାଉତଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + 11 =