ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ପଧାନ ଓ ଶିକ୍ଷକ ଶ୍ରୀମୁଖ ବିହାରୀ ଷାଣ୍ଢଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର କ୍ଲଷ୍ଟର ପକ୍ଷରୁ ସ୍ଥାନୀୟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ପଧାନ ଓ ମୁରିବାହାଲ ପିୟୁପିଏସର ପୂର୍ବତନ ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀମୁଖ ବିହାରୀ ଷାଣ୍ଢଙ୍କୁ ଏହି ଅବସରରେ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁରିବାହାଲ କ୍ଲଷ୍ଟର ସିଆର୍ସିସି ହୃଷିକେଶ ଶିକାଙ୍କ ତତ୍ତ୍ଵାବଧାନରେ ଓ ଶିକ୍ଷକ ଚିନ୍ମୟ କୁମାର ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ, ମୁରିବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ଵବିହାରୀ ଯୋଶୀ,ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଯୋଗ ଦେଇଥିଲେ । ସମସ୍ତ ଅତିଥି ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, କର୍ତ୍ତବ୍ୟନିଷ୍ଠା ଓ ଆଦର୍ଶପୂର୍ଣ୍ଣ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରାଯାଇଥିଲା । କ୍ଲଷ୍ଟରର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ କୁନ୍ତଲା ଜୁଗ୍ନିଆ, ମଦନ ବାଗ, ତପେଶ୍ଵର ବେହେରା, ସଞ୍ଜିବ କୁମାର ଛତର, ନୃପରାଜ ମାଝୀ, ସ୍ରୋତସ୍ୱିନୀ ମାଝୀ, ପୁଷ୍ପାଞ୍ଜଳି ବାରିକ, ସଂଯୁକ୍ତା ପଣ୍ଡା, ଭୁଷଣ କୁମାର ନାଏକ, ଶିତଳ ଦୀପ, ଓମ୍ ଶ୍ରୀ ଜୟରାମ କୃଷ୍ଣ ପାତ୍ର, ଜିତେନ୍ଦ୍ର ସୁନା, ଜିବର୍ଦ୍ଧନ ପାଣ୍ଡେ, ଜିତେନ୍ଦ୍ରିୟ ଭୋଇ, ଅକ୍ଷୟ କୁମାର ଭୋଇ ଓ ଚରଣ ଦଳେଇଙ୍କ ସହ ବହୁ ଶିକ୍ଷାପ୍ରେମୀ ଏହି ସଭାରେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଶେଷରେ ଅବସରପ୍ରାପ୍ତ ଉଭୟ ଶିକ୍ଷକ-ଶିକ୍ଷୟିତ୍ରୀ ନିଜ ଦୀର୍ଘ କର୍ମମୟ ଜୀବନର ଅନୁଭୂତି ବାଣ୍ଟିବା ସହ ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ବରିଷ୍ଠ ଶିକ୍ଷକ ଥୟରାଜ ପ୍ରଧାନୀ ଓ ଲମ୍ବୋଦର ଭୋଇ ଧନ୍ୟବାଦ ଦେଇଥିଲେ ।