
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଗରପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏ ବର୍ଷର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି, ଅଧ୍ୟାପକ ସତ୍ୟବନ୍ତ ବେଦବାକ ମୁଖ୍ୟବକ୍ତା ଏବଂ ପୂର୍ବତନ ସଂପାଦକ ବୃନ୍ଦାବନ ମିଶ୍ର ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ । ସଂଘ ସଂପାଦକ କୃଷ୍ଣଚନ୍ଦ୍ର ନାଥ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉପସ୍ଥିତ ପଚାଶରୁ ଅଧିକ ସଦସ୍ୟଙ୍କ ମଧ୍ୟରୁ ଚୈତନ୍ୟ ପଟେଲ, ପ୍ରସନ୍ନ ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ମନୋରଂଜନ ମିଶ୍ର, ବିରଂଚି ବହିଦାର, ଦୁର୍ଗା ପ୍ରସାଦ ହୋତା ପ୍ରମୁଖ ନୂଆଁଖାଇ ଭେଟଘାଟର ମହତ୍ୱ ଉପରେ ମତାମତ ପ୍ରଦାନ କରିବା ସହିତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାର ସରକାରୀ କର୍ମଚାରୀଙ୍କ ପ୍ରତିପୋଷଣ କରିଥିବା ବୈମାତୃକ ମନୋଭାବ ଉପରେ ଆଲୋଚନା କରିଥିଲେ । ବହୁ ରାଜ୍ୟରେ ଆଜି ଓଲ୍ଡ ପେନସନ ସ୍କିନ ଲାଗୁ ହୋଇସାରିଥିବା ବେଳେ ଓଡିଶା ସରକାର ଏ ଦିଗରେ ସମ୍ପୂର୍ଣ୍ଣ ଉଦାସୀନ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ସଂକୁଚିତ କରିବା ପାଇଁ ୨୦୨୫ ଅର୍ଥନୈତିକ ଆଇନ୍ ପ୍ରଣୟନ କରି ଭାରତ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ କଣ୍ଠରୋଧ କରିବାର ବ୍ୟବସ୍ଥା କରିଛନ୍ତି । ନିଜ ଜୀବନ କାଳରେ ଅର୍ଦ୍ଧାଧିକ ସମୟ ସରକାରଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ସହାୟକ କର୍ମଚାରୀଙ୍କ ପ୍ରତି ଏ ଅନ୍ୟାୟ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଆଜିକାର ସଭାରେ ମତ ପ୍ରକାଶ ପାଇଥିଲା । ସରକାର କର୍ମଚାରୀଙ୍କୁ ପୂର୍ବ ପେନସନ ଯୋଜନା ଲାଗୁ ନ କଲେ ଭବିଷ୍ୟତରେ ଏହା ପ୍ରଚଣ୍ଡ ଜନ ଅସନ୍ତୋଷ କାରଣ ହେବ ଏ ସଂପର୍କରେ ପାଇଁ ସରକାର ଦାୟୀ ରହିବେ ବୋଲି ମତ ପ୍ରକାଶ ପାଇଥିଲା ।