ଭୀମସାର ବୁର୍ଲାରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା : ଗୁରୁତର ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ପାଇଁ ମିଳୁଛି ୨ ମାସ ପର ତାରିଖ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ସାଧାରଣ ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ଗୁରୁତର ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବହିର୍ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି କିନ୍ତୁ ବୁର୍ଲାରେ ଏଭଳି ପରୀକ୍ଷାମାନଙ୍କ ପାଇଁ ରୋଗୀମାନଙ୍କୁ ୨ ମାସ ପରର ତାରିଖ ଦିଆଯାଉଛି ଯାହାକି ସେମାନଙ୍କ ପାଇଁ ବିପଦଜନକ ହୋଇପାରେ । ଗୁରୁତର ରୋଗୀମାନଙ୍କୁ ଏଭଳି କରାଯିବା ଦ୍ୱାରା ତାଙ୍କର ଜୀବନ ମଧ୍ୟ ସଂକଟା ପନ୍ନ ହେଉଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ କାଇଁସିର ଗ୍ରାମର ସ୍ୱେଚ୍ଛାସେବୀ ଅଚ୍ୟୁତାନନ୍ଦ ଦେହେରୀ । ସେ ଡିସଲେସିଆ ରୋଗରେ ପୀଡ଼ିତ । ଗତ ଅକ୍ଟୋବର ୧୩ ତାରିଖରେ ସେ ଭୀମସାର ବୁର୍ଲା ମେଡିସିନ ବହିର୍ବିଭାଗରେ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଜଣେ ଡାକ୍ତର ତାଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହି କାଗଜ ନେଇ ଅଲ୍ଟ୍ରାସାଉଣ୍ଡ କରୁଥିବା କର୍ମଚାରୀଙ୍କୁ ଦେଖାଇବା ପରେ ତାଙ୍କୁ ଡିସେମ୍ବର ମାସ ୧୬ ତାରିଖରେ ଆସିବାକୁ କୁହାଯାଇଛି । ଏହା ଶୁଣିବା ପରେ ଅଚ୍ୟୁତା ହତାଶ ହୋଇ ଅନିଚ୍ଛା ସତ୍ୱେ ଘରକୁ ଫେରିଆସିଲେ । ଗୋଟିଏ ପକ୍ଷରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପାଇଁ ପ୍ରଚାର କରୁଥିବା ସ୍ଥଳେ ଏଭଳି ରୋଗୀଙ୍କ ଜୀବନ ସହିତ ଖେଳ ଖେଳିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବିଗତ ଦିନରେ ଏଭଳି ଅନେକ ରୋଗୀଙ୍କ ସହିତ ଅନୁରୂପ ଘଟଣା ଘଟିଥିବା ଯୋଗୁଁ କିଛି ସାମାଜିକ କର୍ମୀ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଯାହାର ପ୍ରତ୍ୟୁତ୍ତର ରଖିଥିଲେ ଭୀମସାର ଅଧିକ୍ଷକ । ତାଙ୍କ କହିବା ଅନୁଯାୟୀ ବୁର୍ଲାରେ ଆବଶ୍ୟକ ମୁତାବକ କର୍ମଚାରୀ ଅଭାବ ପାଇଁ ଏଭଳି ମାସ ମାସ ଧରି ଲାଇନ ଲମ୍ବୁଛି । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲା ପାଇଁ ଏହା ରାଜ୍ୟ ସରକାରଙ୍କ ଅବହେଳା ନୁହେଁ କି ?

Leave A Reply

Your email address will not be published.

five × two =