jayashree

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ : ସୋନପୁରରେ ୯୯.୫ ପ୍ରତିଶତ ଫର୍ମ ବଣ୍ଟନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ “ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଛି । ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଏହା ସଫଳତାର ସହ ଚାଲିଥିବା ନେଇ ସୂଚନା ଦେଇଛନ୍ତି । ଡା. ସୌମ୍ୟରୂପା ରଥ, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ । ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ସୋନପୁର ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ଗୋଟି ବୁଥରେ ମାତ୍ର ୧୨ ଦିନ ଭିତରେ ୯୯.୫ ପ୍ରତିଶତ ଫର୍ମ ବଣ୍ଟନ ସଫଳତାର ସହ ସରିଯାଇଛି । ଆଉ ୦.୫ ପ୍ରତିଶତ ପ୍ରାୟ ଗୋଟେ ଦିନରେ ସରିଯିବ । ଏନେଇ ପୂର୍ବରୁ ବିଏଲଓ ଏବଂ ସୁପରଭାଇଜରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିବା ବେଳେ ସେ ଏଥିପାଇଁ ସମସ୍ତ ୩୧୯ ବିଏଲଓ, ୩୨ ସୁପରଭାଇଜର, ୭ ଏଇଆରଓ ଏବଂ ସମସ୍ତ ଇଲେକ୍ସନ ଟିମ୍‌କୁ ଧନ୍ୟବାଦ୍ ଦେଇଛନ୍ତି । ସେ ପୁଣି କହିଥିଲେ ଯେ, ସିଇଓଙ୍କ ନିର୍ଦ୍ଦେଶ କ୍ରମେ ଡିଜିଟାଇଜେସନ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁ ଫର୍ମ ଗ୍ରହଣ ହୋଇଛି ଭୋଟରଙ୍କ ସବିଶେଷ ବିବରଣୀ ସହ ଫଟୋ ଏବଂ ଦସ୍ତଖତ ସମ୍ବଳିତ ଫର୍ମକୁ ଇସିଆଇ ନେଟ ମାଧ୍ୟମରେ ଅପଲୋଡ କରାଯିବ । ବିଏଲ୍ଓ ମାନେ ମଧ୍ୟ ବିଏଲଓ ଆପ୍ ମାଧ୍ୟମରେ ଅପଲୋଡ଼ କରିବେ । ଭୋଟର ଚାହିଁଲେ ନିଜେ ମଧ୍ୟ ଇସିଆଇ ନେଟ ମାଧ୍ୟମରେ ଅପଲୋଡ କରିପାରିବେ । ଡିଜିଟାଇଜେସନ ପରେ ଡ୍ରାଫ୍ଟ ଇଲେକ୍ଟ୍ରୋଲ୍ ରୋଲ୍‌ରେ ସେହି ଭୋଟରଙ୍କ ନାମ ଚଢ଼ିଯିବ । ତା’ ପରେ ଆମର ଆପତ୍ତି ଅଭିଯୋଗ ଅବଧି ଶେଷ ହେବା ପରେ ୬ ସେପ୍ଟେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବା ନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ । ଏହା ଏଇଆର୍‌ଓ ସ୍ତରରେ ସମସ୍ତ ୪ଗୋଟି ବ୍ଲକ୍ ଏବଂ ତହସିଲ୍‌ରେ ମଧ୍ୟ ଚାଲିଛି ଏବଂ କହିଛନ୍ତି ଏହି ଏସଆଇଆରର ସମ୍ପୂର୍ଣ ଗୋଟେ ଉଦ୍ଦେଶ୍ୟ ରହିଛି ଯେ, ଏକ ସଠିକ୍ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା । ଏଥିପାଇଁ ସୋନପୁରର ସମସ୍ତ ନାଗରିକ, ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ବନ୍ଧୁଙ୍କ ସକ୍ରିୟ ସହଯୋଗ ଆମେ କାମନା କରୁଛୁ । ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ସିଦ୍ଧାର୍ଥ ଶେଖର ଦାସ, ଆସିଷ୍ଟାଣ୍ଟ କଲେକ୍ଟର ରାମ ଶଙ୍କର ମିଶ୍ର, ଜୁନିଅର ଆସିଷ୍ଟାଣ୍ଟ ଦେୱାନୀ ପୁଟୁଲିଆ, ଡାଟା ଏଣ୍ଟ୍ରି ଅପରେଟର ରାଧାକାନ୍ତ ପ୍ରଧାନ ଏବଂ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଡିଜିଟାଇଜେସନ୍ ପ୍ରକ୍ରିୟାରେ ବିଏଲଓମାନଙ୍କୁ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.