jayashree

କୋଦାଳ ବେଣ୍ଟ ବିଦ୍ଧ କୃଷକଙ୍କୁ ବଞ୍ଚାଇଲେ ଭୀମଭୋଇ ମେଡିକାଲର ଡାକ୍ତରୀ ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଘବଡ଼, ଖୁଜେନପାଲିର ୫୫ ବର୍ଷୀୟ କୃଷକ ନାରାୟଣ ସାହୁ କାମ କରୁଥିବା ସମୟରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ସଫଳତାର ସହ ଅସ୍ତ୍ରୋପଚାର କରି ଜୀବନ ରକ୍ଷା କରାଯାଇଛି । କୋଦାଳର କାଠବେଣ୍ଟ ତାଙ୍କ ବାମ ବାହୁ ଓ ଛାତିରେ ପଶିଯାଇ ଗମ୍ଭୀର ଆଘାତ ଲାଗିଥିଲା । ଯାହାକି ତାଙ୍କ ଜୀବନକୁ ଗୁରୁତର ବିପଦରେ ପକାଇଥିଲା । ଏହି ଅସାଧାରଣ ଘଟଣାରେ ସ୍ଥାନୀୟ ଡାକ୍ତରୀ ଦଳଙ୍କ ସମୟୋଚିତ ପଦକ୍ଷେପ, ଦକ୍ଷତା, ସାହସିକତା ଓ ସମର୍ପଣରେ ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଜଟିଳ ଅସ୍ତ୍ରୋପଚାର ଦ୍ୱାରା ଶରୀରରୁ କୋଦାଳକୁ ସଫଳତାର ସହ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସନ୍ତୋଷଜନକ ରହିଛି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ସଫଳ ଅସ୍ତ୍ରୋପଚାରଟି ଡାକ୍ତର ସୁମିତ ସାମଲ, ଡାକ୍ତର ଅନିଲ ବେହେରା, ଡାକ୍ତର ସରୋଜ ଗୋଛାୟତ, ଡାକ୍ତର ସତ୍ୟବ୍ରତ ସାମଲଙ୍କ ସହିତ ଆନାସ୍ଥେସିଆ ଟିମ୍ ଓ ଅସ୍ତ୍ରୋପଚାର କକ୍ଷର କର୍ମଚାରୀମାନଙ୍କ ସମନ୍ୱିତ ପ୍ରୟାସରେ ସମ୍ପାଦିତ ହୋଇଥିଲା । ସ୍ଥାନୀୟ ସ୍ୱାସ୍ଥ୍ୟସେବାରେ ଏହି ପ୍ରକାରର ଜଟିଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିବାରୁ ଏହାକୁ ଜିଲ୍ଲାର ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ବୋଲି ଗଣାଯାଉଛି । ଏହି ସାହସିକ ପଦକ୍ଷେପ ଦ୍ୱାରା ଜଣେ ଗରିବ କୃଷକଙ୍କ ଜୀବନରକ୍ଷା ହୋଇଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଡାକ୍ତରୀ ଦଳଙ୍କୁ ପ୍ରଶଂସା କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସଫଳତାକୁ ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ସଫଳତା ବୋଲି ବିବେଚନା କରିଥିଲେ ଏବଂ ଡାକ୍ତରୀ ଦଳଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ସ୍ଥାନୀୟ ସ୍ୱାସ୍ଥ୍ୟସେବାରେ ଏହି ପ୍ରକାରର ସାହସିକ ଓ ସଫଳ ପଦକ୍ଷେପ ଜନସାଧାରଣଙ୍କୁ ଆଶା, ଆତ୍ମବିଶ୍ୱାସ ଓ ସୁରକ୍ଷାର ଭାବନା ଦେଇଥାଏ । ଏହି ଘଟଣା କେବଳ ଜଣେ କୃଷକଙ୍କ ଜୀବନରକ୍ଷାରେ ସୀମିତ ନୁହେଁ, ବରଂ ସ୍ଥାନୀୟ ସ୍ୱାସ୍ଥ୍ୟସେବାର କ୍ଷମତା, ସମର୍ପଣ ଓ ପ୍ରତିଶୃତିର ଏକ ସ୍ପଷ୍ଟ ପ୍ରମାଣ ।

Leave A Reply

Your email address will not be published.