କୃଷି ବିଜ୍ଞାନ କେନ୍ଦ୍ରର ୧୮ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ୧୮ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ବତନ୍ତ୍ର ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କେଭିକେର ବରିଷ୍ଠ ବୈଜ୍ଞାନିକ ତଥା ସଂଯୋଜକ ଡ.ଜୀବନଜୀତ୍ ସେନଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଚଳିତ ରବିଚାଷ ସହ ଖରାଟିଆ ଚାଷ ଉପରେ ପ୍ରସ୍ତୁତ ସ୍ବତନ୍ତ୍ର କାର୍ଯ୍ୟ ଖସଡାକୁ ଅନୁମୋଦନ କରାଯାଇଛି । ବିଶେଷ କରି, କେନ୍ଦ୍ରର ମୋଦୀ ସରକାର ପକ୍ଷରୁ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଚାଲିଥିବା କୃଷି ଓ କୃଷକ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରୀତା ଉପରେ ଗୁରୁତ୍ବାରୋପ କରାଯାଇଛି । ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ ଚାଷ ସହ ଜୈବିକ ସାର ଓ କୀଟନାଶକର ବ୍ୟବହାର, ଶସ୍ୟ ସଂରକ୍ଷଣ, କୃଷି ଯନ୍ତ୍ରପାତିର ବ୍ୟବହାର ଓ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଉପରେ କୃଷି ବିଶେଷଜ୍ଞମାନେ ଆଲୋଚନା କରିବା ସହ ଜଳବାୟୁ ଓ ସେଚ ବ୍ୟବସ୍ଥାକୁ ନଜରରେ ରଖି ଉତ୍ପାଦକତା ବୃଦ୍ଧି ଉପରେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହ କୃଷି କ୍ଷେତ୍ରରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ପରିଯୋଜନାକୁ ସଫଳ କରିବାକୁ ଚାଷୀଙ୍କ ସହ ମତ ବିନିମୟ କରିଛନ୍ତି । ଆଇଆଇଡବ୍ଲୁଏମ୍, ଆଇସିଏଆର୍ ସହ ଓୟୁଏଟି ଦ୍ବାରା ଆୟୋଜିତ ଆଭାସୀ ବୈଠକରେ ଓୟୁଏଟିର ଡିନ୍ ତଥା ଶିକ୍ଷା ସଂପ୍ରସାରଣ ଅଧିକାରୀ ପ୍ରନଜିତ୍ ମିଶ୍ର, ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶକ ଦୀପ୍ତି ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଳ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରମେଶ ଦେହୁରୀ, ସହକାରୀ ଉଦ୍ୟାନବିତ୍ ହୃଷିକେଶ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃଷି ଉତ୍ପାଦକୁ ନେଇ ଆସିଥିବା ଆହ୍ବାନକୁ ନେଇ ଆଲୋଚନା କରିଥିଲେ । ଏହି ଅବସରରେ କୃଷିଜ୍ଞାନ ଭିତ୍ତିକ ୫ଟି ପୁସ୍ତିକାର ଉନ୍ନୋଚନ କରାଯାଇଥିଲା । ବୈଠକରେ ଜିଲ୍ଲାର କୃଷି, ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଓ କ୍ଷେତ୍ରୀୟ ଅଧିକାରୀଙ୍କ ସହ ଅଗ୍ରଣୀ ଚାଷୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

seven + four =