pakka

ନରସିଂହଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତିର ବୈଠକ

bbehera
  • ଡାକ୍ତରମାନେ ୨୪ ଘଣ୍ଟା ରୋଗୀ ସେବାରେ ବ୍ରତି ରୁହନ୍ତୁ – ନରସିଂହ
  • ଇନ୍‌ଡୋର ଭର୍ତ୍ତି ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ବର୍ଷର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶେଷ କରି ରୋଗୀ ସେବା, ହସ୍‌ପିଟାଲର ଅଭାବ ଅସୁବିଧା, ହସ୍‌ପିଟାଲରେ ଖାଲିଥିବା ପଦବୀ ଏବଂ ଏ ବର୍ଷର ବଜେଟ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ଡାକ୍ତର ପଦବୀ ଓ ତାଙ୍କ ଉପସ୍ଥିତିକୁ ନେଇ ଅନେକ ବିସଙ୍ଗତି ଦେଖିବାକୁ ମିଳିଥିଲା । ବିଧାନସଭାରେ ଡାକ୍ତର ପଦବୀକୁ ନେଇ ଆଲୋଚନା ବେଳେ ଚୁଡାପାଲିରେ ୧୫ ଜଣ ଡାକ୍ତର ଅଛନ୍ତି ବୋଲି ଉତ୍ତର ଆସୁଛି କିନ୍ତୁ ପ୍ରକୃତରେ ଏଠାରେ କେବଳ ୭ ଜଣ ଡାକ୍ତର ଅଛନ୍ତି । ବିଧାୟକ ଶ୍ରୀ ମିଶ୍ର ଏ ଦିଗରେ ଉପସ୍ଥିତ ଥିବା ମେଡିକାଲ ଅଫିସରଙ୍କୁ ପଚାରିବାରୁ ସେ ୨ଜଣ ଡାକ୍ତରଙ୍କୁ ଏଠାରୁ ସିଡିଏମ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବାହାରକୁ ଡେପୁଟେସନରେ ପଠା ଯାଇଥିବାର ସୂଚନା ଦେଇଥିଲେ । ବିନା ସରକାରୀ ନିର୍ଦ୍ଦେଶନାମାରେ କୌଣସି ଡାକ୍ତରଙ୍କୁ ବାହାରକୁ ଡେପୁଟେସନ ପଠା ନ ଯିବାର ବ୍ୟବସ୍ଥା ଥିଲେ ହେଁ ସିଡିଏମ୍‌ଓ ମନଇଚ୍ଛା କାହିଁକି ଡାକ୍ତରଙ୍କୁ ଡେପୁଟେସନରେ ପଠାଉଛନ୍ତି ବୋଲି ଫୋନ ଯୋଗେ ପଚାରିଥିଲେ ଏବଂ ସେଠାକୁ ପଠାଇଥିବା ଡାକ୍ତରମାନଙ୍କୁ ଶୀଘ୍ର ଫେରାଇ ଆଣନ୍ତୁ ନ ହେଲେ ସିଡିଏମ୍‌ଓ ସରକାରୀ ନିର୍ଦ୍ଦେଶର ଅବମାନନା କରିଛନ୍ତି ବୋଲି ସେ ଚିଠି ଲେଖିବେ ବୋଲି ଜଣାଇଥିଲେ । ତା’ସହ ଚୁଡାପାଲିରେ ଥିବା ଗୋଟିଏ ଆମ୍ବୁଲାନ୍ସକୁ ଲୋୟର ସୁକତେଲ କାମରେ ଡେପୁଟେସନ କରାଯାଉଥିବାରୁ ତାହା ମଧ୍ୟ ବନ୍ଦ କରନ୍ତୁ ବୋଲି ସେ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯେତେ ଦିନ ରୋଗୀ କଲ୍ୟାଣ ସମିତିର ପାଣ୍ଠିରେ ଡିଜେଲ ଭରା ଯାଇଛି ତାର ଅର୍ଥ ଫେରସ୍ତ କରନ୍ତୁ ବୋଲି କହିଥିଲେ । ବୈଠକରେ ସଭ୍ୟମାନେ ପେଥୋ ଟେଷ୍ଟ ପାଇଁ ଏକ ସେମି ଅଟୋ ଏନାଲାଇଜର ଅତି ଜରୁରୀ ଅଛି ବୋଲି ବିଧାୟକଙ୍କୁ ଜଣାଇଥିଲେ ଯାହାକି ବିଧାୟକ ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରିବା ପ୍ରତିଶୃତି ଦେଇଥିଲେ । ହସ୍‌ପିଟାଲ ପରିସରରେ ଯେତେ ଶୀଘ୍ର ହେବ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବାକୁ ଉପସ୍ଥିତ ଯନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ମିଶ୍ର କହିବା ସହ ଭିତ୍ତିଭୂମି କ୍ଷେତ୍ରରେ ଯାହା କିଛି ବି ଦରକାର ଅଛି ଅଧିକାରୀମାନେ ତତ୍ପରତା ସହ କାମ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଶେଷରେ ବଜେଟ ଆଲୋଚନା ହୋଇଥିଲା ଏବଂ ଏଥିରେ ସଭ୍ୟମାନେ ଆଲୋଚନା କରିବା ସହ ଯାହା ଦରକାର ଅଛି ତାହା ପ୍ରଥମେ ନିଜ ଭିତରେ ଆଲୋଚନା କରି ସେ ସବୁ ଚୂଡାନ୍ତ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ରାମଦତ୍ତ ଭୋଇ, ଲୋକନାଥ କୁମୁରା, ଘାସିରାମ ବେହେରା, ଯଶୋବନ୍ତି ବଘାର, ଇଂ. ବୃଷବ ଚନ୍ଦ୍ର ହୋତା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନାନସିରାଣୀ ପୁର୍ତ୍ତି, ଡ. ତରୁଣ କୁମାର ଭୋଇ, ଡା. ପଣ୍ଡା, ଡା. ବେହେରା ଏବଂ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × five =