pakka

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର କାଉନସିଲ ହଲଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ଓ ଅଧ୍ୟକ୍ଷା ଡ଼ ସବିତା ମହାପାତ୍ର, ମେଡିକାଲ ଅଧିକ୍ଷକ ଡ଼ ମହେନ୍ଦ୍ର କୁମାର ନାୟକ, ସିଡିଏମ୍‌ଓ ଡ଼ ସ୍ନେହଲତା ସାହୁଙ୍କ ସମେତ ସ୍ୱାସ୍ଥ୍ୟ ବିକାଶ ସମିତିର ସଦସ୍ୟ/ସଦସ୍ୟା ଓ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ମେଡିକାଲ କଲେଜର ଡିନ୍‌ ଓ ଅଧ୍ୟକ୍ଷା ଡ଼ ମହାପାତ୍ର ସମସ୍ତଙ୍କୁ ସ୍ଵାଗତ କରିବା ସହ କଲେଜ ଓ ହସ୍ପିଟାଲ ପରିଚାଳନା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମେଡିକାଲ ଅଧିକ୍ଷକ ଡ଼ ନାୟକ ପାୱାର ପଏଣ୍ଟ ମାଧ୍ୟମରେ ସ୍ୱାସ୍ଥ୍ୟ ବିକାଶ ସମିତିର ବିଭିନ୍ନ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ଗତ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ କଲେଜ ଓ ହସ୍ପିଟାଲର ସ୍ଥିତି ଓ ଭିତ୍ତିଭୂମି, ବିଭିନ୍ନ ବିଭାଗରେ ଥିବା ବେଡ଼ ସଂଖ୍ୟା, ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ରୋଗର ପରୀକ୍ଷା ଓ ଚିକିତ୍ସା ସୁବିଧା, ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର ଓ ବିଶେଷଜ୍ଞ ତଥା ପରାମେଡିକାଲ କର୍ମଚାରୀଙ୍କ ସ୍ଥିତି ଓ ଖାଲିଥିବା ପଦବୀ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଖାଲିଥିବା ପଦବୀ ଗୁଡିକୁ ଯଥାଶୀଘ୍ର ପୂରଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ପଠାଇବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏତଦ୍‌ ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଓ ବିଶେଷଜ୍ଞ ତଥା ପରାମେଡିକାଲ କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । କଲେଜ ଓ ହସ୍ପିଟାଲ ଭିତ୍ତିଭୂମିର ଗୁଣବତ୍ତାକୁ ବଜାୟ ରଖିବା ସହ ତଦାରଖ କରିବାକୁ ସମିତିର ଅଧ୍ୟକ୍ଷା ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ବିଭାଗର ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଓ.ପି.ଡିରେ ଧାଡି ପରିଚାଳନା ପ୍ରଣାଳୀର କାର୍ଯ୍ୟକାରିତା, ପ୍ରତୀକ୍ଷା ଅଞ୍ଚଳର ବିକାଶ ସମ୍ପର୍କରେ ଆଲୋଚନା ହେବା ସହ କେତେକ ନୂତନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଅତିରିକ୍ତ ମେଡିକାଲ ଅଧିକ୍ଷକ ଡ଼ ପ୍ରଭାତ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 − two =

error: Content is protected !!