pakka

ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ : ମ୍ୟୁନିସିପାଲିଟି ଓ ମେଡିକାଲ ସମସ୍ୟା ଉପରେ ଗୁରୁତ୍ୱ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜଠାରେ ନାଗରିକ କମିଟିର ଏକ କାର୍ଯ୍ୟକାରୀ ବୈଠକ ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ପାଟଣେଶ୍ୱରୀଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ବୈଠକକୁ ଶୁଭାରମ୍ଭ କରାଯାଇଥିଲା । ଦିବଂଗତ ଆତ୍ମାର ସଦ୍‌ଗତି ପାଇଁ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଥିବା ପ୍ରଖ୍ୟାତ ସଙ୍ଗିତଜ୍ଞ ଲତା ମଙ୍ଗେସ୍କର୍‌ ଓ ବାପ୍ପୀ ଲାହିରି ତଥା ସାମ୍ବାଦିକ ରୋହିତ ବିଶ୍ୱାଲ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଲଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ମନୋରଂଜନ ସାହୁଙ୍କ ଦ୍ୱାରା ପଠନ କରାଯାଇଥିବା ବିଗତ ପ୍ରସ୍ତାବଗୁଡିକୁ ଦୃଢିକରଣ କରିବା ପରେ ଇତି ମଧ୍ୟରେ ସମ୍ବଲପୁର ସ୍ଥିତ ରେଲୱେ ଡିଭିଜନର ପ୍ରବନ୍ଧକ ପ୍ରଦୀପ କୁମାରଙ୍କ ସହ ବଲାଙ୍ଗିର ରେଲୱେ ଷ୍ଟେସନର ଉନ୍ନତି ସମ୍ବନ୍ଧରେ ଆଲୋଚନା ଓ ହସ୍‌ପିଟାଲର ଅବ୍ୟବସ୍ଥାର ସମାଧାନ ପାଇଁ ନାଗରିକ କମିଟି ତରଫରୁ ପ୍ରଦାନ କରାଯାଇଥିବା ଦାବୀପତ୍ର ଉପରେ ବିଷଦ ଭାବରେ ଆଲୋଚନା ହୋଇ, ଉକ୍ତ ପଦକ୍ଷେପକୁ ଗୃହରେ ପ୍ରଶଂସା କରାଯାଇଥିଲା । ସଦସ୍ୟମାନଙ୍କ ତରଫରୁ ଆଗତ ହୋଇଥିବା ବିଭିନ୍ନ ପ୍ରସ୍ତାବ ମଧ୍ୟରୁ ପୌର ସଂସ୍ଥା ଓ ସ୍ୱାସ୍ଥ୍ୟସେବା ଉପରେ ହୋଇଥିବା ଘୋର ଅବ୍ୟବସ୍ଥା ଉପରେ ପ୍ରତିକ୍ରିୟା ପ୍ରକାଶ ପାଇ ଯଥା ଶୀଘ୍ର ସଂପୃକ୍ତ ଅଧିକାରୀଙ୍କ ସହ ସାକ୍ଷାତ କରି ସମସ୍ୟା ଉପସ୍ଥାପନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ଆସନ୍ତା ୫ ତାରିଖରେ ଏକ କମିଟିର ସାଧାରଣ ବୈଠକ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଲୋଚନାରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ପଙ୍କଜିନି ପଣ୍ଡା, ବୃନ୍ଦାବନ ବରାଳ, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ଜୟରାମ ମିଶ୍ର, ଗୋପବନ୍ଧୁ ପୁରୋହିତ, ବିମଲ କୁମାର ଚୋପଦାର, ବ୍ରଜରାଜ ପୁରୋହିତ, ଦିବାକର ହୋତା, ଦେବବ୍ରତ ରଥ ଓ ପର୍ଶୁରାମ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସହସଂପାଦକ ଚକ୍ରପାଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × 2 =