pakka

ଧଣ୍ଡାମୁଣ୍ଡାରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଧଣ୍ଡାମୁଣ୍ଡା କେନ୍ଦୁ ପତ୍ର ରେଞ୍ଜର ଧଣ୍ଡାମୁଣ୍ଡା ଠାରେ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦୁ ପତ୍ର ଶ୍ରମିକ କର୍ମଚାରୀ, ପତ୍ର ତୋଳାଳୀ, ପତ୍ର ବନ୍ଧାଳୀ, ଗୁଚ୍ଛା କଟାଳି ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । କେନ୍ଦୁ ପତ୍ର ବିଭାଗରେ କାର୍ଯ୍ୟରତ ମୁନସୀ, ଚପରାଶି, ମେଟ, ଭର୍ତ୍ତିମାନଙ୍କ ଛଅ ମାସର ଦରମା ପ୍ରଦାନ, ବନ୍ଧେଇ ରଚେଇ କାର୍ଯ୍ୟରେ ନିୟୋଜିତ ଚେକର ମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ସହିତ ଅତିକମରେ ଦଶ ମାସର ଦରମା ପ୍ରଦାନ, ସର୍କଲ ଚେକର ମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା, ଗୁଚ୍ଛା କଟା, ପତ୍ର ତୋଳା, ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବା ହେଡ଼୍‌ ଚେକର ମାନଙ୍କ ଚାକିରୀ ସ୍ଥାୟୀ କରିବା ଏବଂ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, କର୍ମଚାରୀଙ୍କ ବୋନସ, ପ୍ରୋତ୍ସାହନ ଭତ୍ତା ପ୍ରଦାନ, ମୃତ କେନ୍ଦୁ ପତ୍ର ତୋଳାଳୀ ବନ୍ଧାଳୀ ଶ୍ରମିକ ମାନଙ୍କ ଉତ୍ତରାଧିକାରୀଙ୍କୁ ବିମାରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି, ଦରମା, ଭତ୍ତା ପ୍ରଦାନ, ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ, ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା, ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା, ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପୁଅ ଝିଅ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, ତୋଳାଳୀ, ବନ୍ଧାଳୀ, ମୁନସୀ, ଚପରାଶି, ଚେକର ମାନଙ୍କ ପୁଅ ଝିଅ ମାନଙ୍କୁ ଛାତ୍ରଛାତ୍ରୀ ବୃତ୍ତି ପ୍ରଦାନ ସହିତ ବିବାହ ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ, ବଜାର ଦର ବୃଦ୍ଧି ଅନୁସାରେ ମଜୁରୀ ଦରମା, ଭତ୍ତା ବୃଦ୍ଧି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଥିଲା । ସଭାରେ ସଂଘର ସଭାପତି ନିରଞ୍ଜନ ବିଶି, ଉପ ସଭାପତି ରଘୁମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ, ଯୁଗ୍ମ ସମ୍ପାଦକ ଭୀଷ୍ମ ମଲ୍ଲିକ, ସଂଗଠନ ସମ୍ପାଦକ ବାଲମକୁନ୍ଦ କୂଅଁର, କୋଷାଧ୍ୟକ୍ଷ ପାଣ୍ଡବ ଭୁଏ ଏବଂ ଯଦୁମଣି ଭୋଇ, ତ୍ରିନାଥ ସାହୁ, ରଘୁନାଥ ମଲ୍ଲିକ, ପଞ୍ଚାନନ ଧରୁଆ, ମାଣିକ ଭୁଏ, ଭୋଜରାଜ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ହେଡ଼ ଚେକର ଦ୍ରୋଣ ବନଛୋର ସଭା ପରିଚାଳନା କରିଥିଲେ । ଧଣ୍ଡାମୁଣ୍ଡା ରେଞ୍ଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × 5 =