jayashree

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଉପ-ଜିଲ୍ଲାପାଳ ଧର୍ମଗଡ ସୁଶ୍ରୀ ପ୍ରେକ୍ଷା ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀ ସହରାଞ୍ଚଳ ସଂସ୍ଥା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦେକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅତିରକ୍ତ ଜିଲ୍ଲାପାଳ (ରାଜସ୍ଵ) ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ପ୍ରାକ ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଳିଆ ଅଞ୍ଚଳ ଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାଣି ଜମି ରହୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ଯଥା ଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା, ବର୍ଷା ପୂର୍ବରୁ ସମସ୍ତ ନାଳ ଗୁଡିକୁ ସଫା କରିବା, ସହରାଞ୍ଚଳ ଅନ୍ତର୍ଗତ ନାଳନର୍ଦ୍ଦମା କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜଳ ଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ସମୟ ବ୍ୟବଧାନରେ ସମସ୍ତ ନଳକୂପ, ପାଇପ ଜଳ ଯୋଗାଣ ଇତ୍ୟାଦିକୁ ବିଶୁଦ୍ଧକରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ହାଲୋଜେନ ବଟିକା, ବ୍ଲିଚିଂପାଉଡ଼ର, ସର୍ପ ବିଷ ପ୍ରତିଷେଧକ (ଏଏସ୍‌ଭି) ଇତ୍ୟାଦି ମହଜୁଦ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦେକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥଲେ । ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟାପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା :- ଚୂଡା, ଚାଉଳ, କିରୋସିନି, ଦିଆସିଲ, ମହମବତୀ ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ମହଜୁଦ ରଖିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ସହରାଞ୍ଚଳ ଅନ୍ତର୍ଗତ ସମସ୍ତ ୱାର୍ଡ ଓ ବସ୍ତିରେ ଯଥା ଶୀଘ୍ର ସଫେଇ କରିବାକୁ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଲେଖ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.