csstore

ନରସିଂହଙ୍କ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ

  • ଆଲୋଚନା ହେଲା ଲୋୟର ସୁକ୍‌ତେଲ ବିସ୍ଥାପିତଙ୍କ ସମସ୍ୟା
  • ଅଧାପନ୍ତରିଆ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କର : ନରସିଂହ
  • ସ୍କୁଲ ଶ୍ରେଣୀଗୃହ ନିର୍ମାଣ ଉପରେ ଗୁରୁତ୍ୱ
  • ପୌରାଞ୍ଚଳ ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ୫ ଶହ କୋଟି ଟଙ୍କାର ସ୍ୱତନ୍ତ୍ର ପେକେଜ ପ୍ରସ୍ତାବ
    -ଚାଉଳ ଦୁର୍ନୀତି ଅନୁସନ୍ଧାନ ରିପୋର୍ଟ ବିଳମ୍ବ ଯୋଗୁଁ ନରସିଂହଙ୍କ କ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେବା ନିହାତି ଦରକାର । କିନ୍ତୁ ଦେଖାଯାଉଛି ଆମ ଅଞ୍ଚଳରେ ବିଶେଷ କରି ଦେଓଗାଁ, ବଲାଙ୍ଗିର ସଦର ବ୍ଲକ ଅଞ୍ଚଳରେ ଅନେକ ସ୍କୁଲରେ ଶ୍ରେଣୀ ଗୃହର ସମସ୍ୟା ଅଛି । ପର୍ଯ୍ୟାପ୍ତ ପରିମାଣରେ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ନାମ ଲେଖାଉ ଥିଲେ ହେଁ ଅଲଗା ଅଲଗା ଶ୍ରେଣୀ ପାଇଁ ଅଲଗା ଶ୍ରେଣୀ କଠୋରୀ ବ୍ୟବସ୍ଥା ନାହିଁ । ଯଦି ବି କିଛି ସ୍ଥାନରେ ଶ୍ରେଣୀ ଗୃହର ବ୍ୟବସ୍ଥା ଅଛି ତାହା ପ୍ରାୟତଃ ଭଗ୍ନାବସ୍ଥାରେ ରହିଛି । ଆହୁରି ଅନେକ ସ୍କୁଲରେ ଆବଶ୍ୟକତା ଅନୁଯାୟୀ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବୀରେ ଶିକ୍ଷକ, କର୍ମଚାରୀ ନାହାନ୍ତି । ତେଣୁ ଅଂଚଳର ସାମଗ୍ରିକ ବିକାଶ ପାଇଁ ଆମେ ଶିକ୍ଷକ, କର୍ମଚାରୀ ପଦବୀ ପୂରଣ ସହ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁଦାନ ଆଣିବା ନାହାତି ଜରୁରୀ ବୋଲି ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକରେ ଅଧ୍ୟକ୍ଷତା କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଧିକାରୀମାନଙ୍କୁ କହିଛନ୍ତି । ଜିଲ୍ଲାପାଳ ଚଂଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ, ସରକାରଙ୍କ ଏକ ନୂଆ ଯୋଜନା ଅନୁଯାୟୀ ପ୍ରତ୍ୟେକ ପଂଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଆସୁଛି । ନିର୍ଦ୍ଦେଶନାମା ମୁତାବକ ଏହି ଅନୁଦାନ ପାଇଁ ପ୍ରକଳ୍ପଗୁଡିକର ପ୍ରସ୍ତାବ ଯେହେତୁ ବିଭିନ୍ନ ସ୍ତରର ଜନପ୍ରତିନିଧି ଏବଂ ସାଧାରଣ ଜନତା ଦେଇପାରିବେ ଏବଂ ଏହି ଅନୁଦାନ ଶିକ୍ଷା ଉନ୍ନତି ପାଇଁ ମଧ୍ୟ ଖର୍ଚ୍ଚ ହୋଇପାରିବ ତେଣୁ ଅନୁଦାନ ରାଶିର ୫୦ ପ୍ରତିଶତ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେଉ । ଏଥିପାଇଁ ଏକ ବିଧିବଦ୍ଧ ପ୍ରସ୍ତାବ ପାରିତ ହୋଇପାରିଲେ ଆମ ଭଳି ପଛୁଆ ଅଂଚଳର ବିକାଶ ହୋଇପାରିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଜିଲ୍ଲାପାଳ ମଧ୍ୟ ଏ ଦିଗରେ ଉପସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ଆଲୋଚନା ବେଳେ ଲୋୟର ସୁକ୍‌ତେଲ ବିସ୍ଥାପିତଙ୍କ ସମସ୍ୟା ଉପରେ ଗୁରୁତ୍ୱର ସହ ଆଲୋଚନା ହୋଇଥିଲା । ବିଶେଷ କରି ଝାଙ୍କରପାଲି ଥଇଥାନ କଲୋନୀର ଅସ୍ଥାୟୀ ଆଶ୍ରୟ ସ୍ଥଳୀ ନିର୍ମାଣରେ ନିମ୍ନମାନର କାମ ଉପରେ ଆଲୋଚନା ହୋଇଥିଲା । ସାଧାରଣ ବର୍ଷା ହେଲେ ମଧ୍ୟ ଏଥିରୁ ପାଣି ଗଳୁଥିବା ଅଭିଯୋଗ ସତ୍ୟ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜେ ପରିଦର୍ଶନ କରି ଜାଣିପାରିଥିଲେ ଏବଂ ଏହା କାହିଁକି ଏତେ ନିମ୍ନମାନର ବୋଲି ପ୍ରଶ୍ନ କରିଥିଲେ । ଉପସ୍ଥିତ ଥଇଥାନ ଅଧିକ୍ଷଣ ଯନ୍ତ୍ରୀ ଯାହା କିଛି ତ୍ରୁଟି ଅଛି ଦିନେ ଦୁଇଦିନ ମଧ୍ୟରେ ସେ ସବୁକୁ ଦୂର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କ୍ଷତିପୂରଣକୁ ନେଇ କୋର୍ଟରେ ମାମଲା ଥିବା କିଛି ସମସ୍ୟା ବ୍ୟତୀତ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ଗୁଡିର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିଶୃତି ଦିଆଯାଇଥିଲା । ଲୋୟର ସୁକ୍‌ତେଲରୁ ପାଇପ ଯୋଗେ କେବେ ସୁଦ୍ଧା ଜଳସେଚନ ହେବ ବୋଲି ଅଧ୍ୟକ୍ଷଙ୍କ ପ୍ରଶ୍ନରେ ୨୦୨୪ ମସିହାର ଆରମ୍ଭ ସୁଦ୍ଧା ଲୋଇସିଂହା ଏବଂ ବଲାଙ୍ଗିର ବ୍ଲକ୍‌ର ୬୦୨୪ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ବୈଠକରେ ଉପସ୍ଥିତ ଯନ୍ତ୍ରୀ କହିଥିଲେ । ଆଲୋଚନା ସମୟରେ ଛତାମଖନା ଆନ୍ତଃନଦୀ ଜଳ ସଂରକ୍ଷର ପ୍ରକଳ୍ପ କାମ ଆସନ୍ତା ଜାନୁୟାରୀ ସୁଦ୍ଧା ଶେଷ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ଉତ୍ତର ରଖିଥିଲେ । ତା’ସହ ସୋନ୍‌ଗଡ ନଦୀ ଉପରେ ଭୁତିଆରବାହାଲ, ସିକୁଁଆ ଏବଂ ଜରାସିଂହାଠାରେ ଏକ ବ୍ୟାରେଜ୍‌ ନିର୍ମାଣର ଆଲୋଚନା ହୋଇଥିଲା । ଜିଲ୍ଲା ମଂଗଳ ଅଧିକାରୀଙ୍କ ଅଧୀନରେ ଆସୁଥିବା ରାମଚନ୍ଦ୍ରପୁର ଏବଂ ଚୁଡାପାଲି ଉଚ୍ଚ ମାଧ୍ୟମିକ ସ୍କୁଲର ହଷ୍ଟେଲ ନିର୍ମାଣରେ ନିମ୍ନମାନର କାମ ପାଇଁ ଅନୁସନ୍ଧାନ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଲକ୍ଷ୍ମୀଯୋର ପ୍ରକଳ୍ପ କାମ ବିଭାଗୀୟ ଯନ୍ତ୍ରୀଙ୍କର ଅବହେଳା ଯୋଗୁଁ ଆରମ୍ଭ ହୋଇପାରୁନଥିବା ଆଲୋଚନା ହେବା ସହ ପ୍ରକଳ୍ପର ଉପର ମୁଣ୍ଡରୁ ହାତୀଶାଳପଡା ପର୍ଯ୍ୟନ୍ତ ଖାଲିଥିôବା ସ୍ଥାନରେ ବନ୍ୟା ପ୍ରତିରୋଧୀ ବାଡ, ରାସ୍ତା, ନାଳ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମିଶ୍ର ଏବଂ ଜିଲ୍ଲାପାଳ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ବେଳେ ଅନୁଦାନ ପଡିରହିଥିବା ପ୍ରକଳ୍ପ ଯଥା ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ, ଆୟୁର୍ବେଦ ମହାବିଦ୍ୟାଳୟ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଷ୍ଟାଫ୍‌ କ୍ୱାର୍ଟର ନିର୍ମାଣକୁ ତ୍ୱରାନ୍ୱିତ କରିବା ଏବଂ ଶିକ୍ଷା ବିଭାଗର ଜାଗାକୁ ଜବରଦଖଲ ମୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯୋଗାଣ ବିଭାଗ ଆଲୋଚନା ବେଳେ ପୌରାଂଚଳରେ ଚାଉଳ ବଣ୍ଟନ ଦୁର୍ନୀତିର ଅନୁସନ୍ଧାନ ରିପୋର୍ଟର ବିଳମ୍ବକୁ ନେଇ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । କୃଷି ବିଭାଗର ଆଲୋଚନା ବେଳେ ଚଳିତ ଖରିଫ ଋତୁ ପାଇଁ ଚାଷୀଙ୍କୁ କିଭଳି ପର୍ଯ୍ୟାପ୍ତ ସାର ଏବଂ ବିହନ ଯୋଗାଇବେ ସେନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେବୋତ୍ତର ଆଲୋଚନା ବେଳେ ରାଜଶ୍ରୀ ଧର୍ମଶାଳା, ଗୋପାଲଜୀ ମନ୍ଦିର ଏବଂ ମହିଳା ବ୍ଲକ ପରିସରରେ ଥିବା ଖାଲି ଜାଗାରେ ଏକ ନୂତନ ସମଲେଶ୍ୱରୀ ମନ୍ଦିର ନିର୍ମାଣ, ନୂତନ ବଜାର ନିର୍ମାଣ ସହ ପୁରାତନ ସମଲେଶ୍ୱରୀ ମନ୍ଦିରର ଉନ୍ନତି ପାଇଁ ସେ ଦେଇଥିବା ପ୍ରସ୍ତାବ ଦୋହରାଇବା ସହ ଉନ୍ନୟନ କମିଟି ବୈଠକରେ ମଧ୍ୟ ଏକ ପ୍ରସ୍ତାବ ପଠାଯାଉ ବୋଲି କହିଥିଲେ । ଅନ୍ୟ ବିଭାଗ ଯଥା ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗ, ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ଜଳଯୋଗାଣ, ରାଜସ୍ୱ, ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ଲୋକଙ୍କ ପ୍ରତି ଥିବା ଦାୟିତ୍ୱକୁ ସୁଚାରୁରୂପେ ତୁଲାଇ ସେମାନେ ପାଇବାକୁ ଥିବା ସମସ୍ତ ପ୍ରକାର ସୁବିଧା ଠିକ୍‌ ହିସାବରେ ପ୍ରଦାନ କରନ୍ତୁ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏଡିସନାଲ ଏସ୍‌ପିଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.