
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ ନୂତନ ସରକାରୀ ଇଂଞ୍ଜିନିୟରିଂ କଲେଜ ସ୍ଥାପନ ପାଇଁ ସରକାରୀ ଅନୁମୋଦନ ମିଳିଛି । ଲୋଇସିଂହା ତହସିଲ ଅନ୍ତର୍ଗତ ହୀରାପୁର ମୌଜାରେ ଚିହ୍ନଟ ହୋଇଥିବା ସରକାରୀ ଜମିରେ ଏହି କଲେଜ ପ୍ରତିଷ୍ଠା ହେବ । ଏ ନେଇ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ସରକାରୀ ଅନୁମୋଦନ ସମ୍ପର୍କିତ ଚିଠି ହସ୍ତଗତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ହସ୍ତାନ୍ତର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ପାଇଁ ତତ୍ପରତା ପ୍ରକାଶ ପାଇଛି । ପ୍ରସ୍ତାବିତ ଇଞ୍ଜିନିୟରିଂ କଲେଜକୁ ଆଧୁନିକ ଓ ବୈଷୟିକ ଶିକ୍ଷା କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଲକ୍ଷ ରହିଛି । ଏଥିରେ ଆବଶ୍ୟକ ଶିକ୍ଷା, ପ୍ରଶାସନିକ, ପରୀକ୍ଷାଗାର, ଛାତ୍ରବାସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ସୁବିଧା ରହିବା ସହିତ ଏଆଇସିଟିର ନିୟମ ଓ ମାନଦଣ୍ଡ ଅନୁଯାୟୀ ସବୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । କଲେଜର ଭିତ୍ତିଭୂମି ଏବଂ ପ୍ରସ୍ତାବିତ କଲେଜର ରାସ୍ତାକୁ ଯୋଗାଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତିକରଣ ସମେତ ରେଳ ଫାଟକ ନିକଟରେ ଓଭର ବ୍ରିଜ ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ କ୍ଷେତ୍ର ପରିଦର୍ଶନ ହୋଇଛି । ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ଏଡିଏମ୍ ପବିତ୍ର ବେହେରା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା, ଲୋଇସିଂହା ତହସିଲଦାର ଟିକନୁ ପୁଟା, ରେଳ ବିଭାଗ ଅଧିକାରୀ ପଦ୍ମିନୀ ସାହୁ ପ୍ରମୁଖ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରିଥିବା ଜଣାଯାଇଛି । ଫଳରେ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ସଦର ମହକୁମା ଠାରୁ ମାତ୍ର ୩ କି.ମି. ଦୂରରେ ଥିବା ହୀରାପୁର ଛକର ଭାଗ୍ୟ ବଦଳିବାକୁ ଯାଉଛି । ଏହି ଜାତୀୟ ରାଜପଥ ଦେଇ ପ୍ରସ୍ତାବିତ କଲେଜର ପ୍ରାୟ ୯ କି.ମି. ରାସ୍ତାର ପ୍ରଶସ୍ତିକରଣ କରାଯିବା ସହିତ ହୀରାପୁର ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଠ ରାସ୍ତା ହେବା ନେଇ ସୂଚନା ରହିଛି । ଏଥିସହିତ ଟିଟିଲାଗଡ- ବରଗଡ଼ ରେଳ ଲାଇନ ଉପରେ ଓଭର ବ୍ରିଜ ନିର୍ମାଣ ହେଲେ ପ୍ରସ୍ତାବିତ ଇଞ୍ଜିନିୟରିଙ୍ଗ କଲେଜକୁ ଯାତାୟାତ ଅଧିକ ସୁଗମ ହେବ । ପ୍ରଥମ ଥର ପାଇଁ ଲୋଇସିଂହା ଅଞ୍ଚଳରେ ସରକାରୀ ଇଂଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ଚୂଡାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ତଥା ଇଞ୍ଜିନିୟରିଂ ଶିକ୍ଷା ହାସଲରେ ଏହି କଲେଜ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ଜାତୀୟ ରାଜପଥ ଅପର ପାର୍ଶ୍ଵ ମାଣ୍ଡିଆପଦର ଗ୍ରାମ ଠାରେ ବିରାଟ ପାର୍କ ନିର୍ମାଣ ସାଙ୍ଗକୁ ପାର୍କ ନିକଟରେ ସାଣ୍ଡ ଡ୍ୟୁନ, ସ୍ପୋର୍ଟସ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ, ଜିମ୍ ଇତ୍ୟାଦି ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଜଣାଯାଇଛି । ଏସବୁ ଉନ୍ନୟନ ତଥା ଲୋକାଭିମୁଖୀ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହୋଇପାରିବା ସହିତ ଅଞ୍ଚଳର ଦୃତ ଅଭିବୃଦ୍ଧି କ୍ଷେତରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।