
ସୁନ୍ଦରଗଡ଼ : ଦଶହରା ମେଢ଼ ଦେଖିବାକୁ ଯାଇଥିଲେ ପରିବାର ଲୋକ । ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶିଲେ ଦୁର୍ବୃତ୍ତ । ଲୁଟି ନେଲେ ନଗଦ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦେହୁରୀପଡ଼ା ଗ୍ରାମରେ ଘଟିଛି ଏଭଳି ଚୋରି ଘଟଣା । ସୂଚନା ଅନୁଯାୟୀ, ଦେହୁରୀପଡ଼ା ଗ୍ରାମର ହେମନ୍ତ ଗୁଖରଙ୍କ ପରିବାର ଦଶହରା ମେଢ଼ ଦେଖିବା ପାଇଁ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ । ଘରେ ଥିବା ନଗଦ ୩ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ସହ ସୁନା ଓ ରୁପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ଦଶହରା ଉତ୍ସବର ଭିଡ଼ ଭିତରେ ଏଭଳି ଲୁଟ୍ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।