jayashree

ଗଞ୍ଜାମ ଜିଲ୍ଲାସ୍ତରୀୟ, ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ବିବିଧ କାର୍ଯ୍ୟକ୍ରମ ସହ ପ୍ରଦର୍ଶନୀ ମେଳା ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଦୁଇବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରଦର୍ଶନୀ ମେଳା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏନେଇ ଆଜି ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜିଲ୍ଲାସ୍ତରରେ ଓ ବ୍ଲକ ଏବଂ ପଞ୍ଚାୟତସ୍ତରରେ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୩ ତାରିଖ ଦିନ ମନ୍ତ୍ରୀ,  ଜନପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କରାଯିବ । ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଓ ସଫଳତାକୁ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯିବ । ଏଥିରେ ଓଡ଼ିଆ ସଂସ୍କୃତି ଓ ସ୍ୱାଭିମାନ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା, ପଦ୍ମ ପୁରସ୍କାର ବିଜେତାଙ୍କୁ ଆର୍ଥିକ ସହାୟତା, ଓଡ଼ିଆ ପକ୍ଷ ପାଳନ, ଜିଲ୍ଲାସ୍ତରୀୟ ପୁସ୍ତକ ମେଳା, ଓଡିଶୀ ନୃତ୍ୟ ଶିକ୍ଷା କାର୍ଯ୍ୟକ୍ରମ, କଳାକାର ଗୌରବ ନିଧି ପ୍ରଦର୍ଶିତ ହେବ । ସେହିପରି ନାରୀ ସଶକ୍ତୀକରଣ କ୍ଷେତ୍ରରେ ୱାନ ଷ୍ଟପ ସେଣ୍ଟର, ନାରୀ ଅଦାଲତ, ଶକ୍ତି ଶ୍ରୀ, ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ତା’ ସହିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଧାନ ସଂଗ୍ରହ ଓ ଦକ୍ଷତା ପୁରସ୍କାର ଆଦିର ସଫଳ କାର୍ଯ୍ୟକାରିତା ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ । ଏହି ପ୍ରଦର୍ଶନୀ ମେଳାରେ ବିଭିନ୍ନ ଖାଦ୍ୟ ଷ୍ଟଲ, ରଜ ପାନ ଷ୍ଟଲ ଆଦି ରହିବ । ଜିଲ୍ଲାପାଳ ଶ୍ରୀ ଭାସନ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭାଗୀୟ ସହଯୋଗ କାମନା କରିଛନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭାଗୀୟ ଅଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.