
ଲୋଇସିଂହା, (କେପିଏନ୍ଏସ୍) : ସାମ୍ପ୍ରତିକ ପ୍ରବଳ ବର୍ଷା ତଥା ବନ୍ୟା ପରିସ୍ଥିତି ଯୋଗୁଁ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ତଥା ପ୍ରାଥମିକ ରୋଗ ନୀରିକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରିବା ନିତାନ୍ତ ଆବଶ୍ୟକ । ଗାଁ କଲ୍ୟାଣ ସମିତିର ସକ୍ରିୟ ସହଯୋଗ ଏଥିପାଇଁ ଅତ୍ୟନ୍ତ ଜରୁରୀ । ସମସ୍ତ ଗର୍ଭବତୀ ଓ ପ୍ରସୂତି ମା’, ଜନ୍ମରୁ ପାଞ୍ଚ ବର୍ଷ ଶିଶୁଙ୍କୁ ପ୍ରାଥମିକତା ଦେବା ଜରୁରୀ ଅଟେ । ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆର କାରଣ ଲକ୍ଷଣ ଓ ନିରାକରଣ ତଥା ପ୍ରତିକାର ନିମନ୍ତେ ପଞ୍ଚାୟତିରାଜ ବିଭାଗର ସହଯୋଗ ନେଇ କ୍ଷେତ୍ର ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସମସ୍ତେ ହାତ ମିଳାଇବା ଜରୁରୀ ବୋଲି ମତପ୍ରକାଶ ପାଇଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଯୋଗୀସର୍ଡା ସେକ୍ଟର ସ୍ତରୀୟ ଆଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ସୁପରଭାଇଜର ସରୋଜ କୁମାର ରଣାଙ୍କ ଆବାହକତ୍ୱରେ ରିସୋର୍ସ ପର୍ସନ ଭାବେ ଡଃ ଆର ଶ୍ରୀକଳା କୁମାରୀ ଯୋଗ ଦେଇଥିଲେ । ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରମେଶ ଚନ୍ଦ୍ର ସାହୁ ଜାତୀୟ କୃମି ନାଶନ ଦିବସ ସମ୍ବନ୍ଧରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ସାହୁ ସଂଯୋଜନା କରିଥିବା ବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ମଧୁମିତା ଛତ୍ରିଆ, ସେବତୀ ନନ୍ଦ, ପନିନା ଛତ୍ରିଆ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜୟନ୍ତୀ ରାଣୀ ସେଠୀଙ୍କ ସହ ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ ।