
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୁରଣ ଦାବୀ କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସୋମବାରଠାରୁ ବିଦ୍ୟାଳୟର ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ ଜାରି ରଖିଥିଲେ । ୨ୟ ଦିନ ଆନ୍ଦୋଳନ ଜାରି ରହିଥିବା ବେଳେ ମଣ୍ଡଳ ଶିକ୍ଷାଧିକାରୀ ବିନୋଦ ପାରମାଣିକ ଘଟଣାସ୍ଥଳରେ ପହଂଚି ନୂତନ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ ।ସୂଚନା ଥାଉକି ଏହି ବିଦ୍ୟାଳୟରେ ମୋଟ ୭୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୫ଜଣ ଶିକ୍ଷକ ନିଯୁକ୍ତି ରହିଥିଲେ । ସେଥିମଧ୍ୟରୁ ଜଣକର ବେରବୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି ଓ ଆଉ ଜଣେ ଶିକ୍ଷକ ୪ମାସ ପରେ ଅବସର ଗ୍ରହଣ କରିବେ । ତେବେ ୩ ଜଣ ଶିକ୍ଷକଙ୍କୁ ନେଇ ୮ଟି ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ସମ୍ଭବପର ନୁହେଁ ବୋଲି ଅଭିଭାବକମାନେ ଏନେଇ ପୂର୍ବରୁ ବିଇଓଙ୍କୁ ଅଭିଯୋଗ କରିଥିଲେ । ବିଇଓ ଶ୍ରୀ ପରମାଣିକ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ବାଧ୍ୟ ହୋଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଧାରଣାରେ ବସିଥିଲେ । ବିଇଓ ପହଂଚିବା ବିଳମ୍ବ ହେବାରୁ ଛାତ୍ରଛାତ୍ରୀମାନେ ସ୍କୁଲଠାରୁ ଚାଲି ଚାଲି ରାଲିରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଶିକ୍ଷକ ନିଯୁକ୍ତି ଆମର ଦାବୀ କହି ରାସ୍ତା ଉପରେ ବସିଥିଲେ । ତେବେ କିଛି ସମୟ ପରେ ଘଟଣା ସ୍ଥଳରେ ବିଇଓ ବିନୋଦ ପରମାଣିକ, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଏବିଇଓ ଲକ୍ଷ୍ମଣ ପ୍ରଧାନ, ଜିଲ୍ଲା ପରିଷଦ ପ୍ରସନ୍ନ ସାହୁ, ସରପଞ୍ଚ ଦୀପକ ସାହୁ, ଆର୍ଦଶ ବିଦ୍ୟାଳୟର ଅଭିଭାବକ ସଂଘ ସଭାପତି ଅଶୋକ ପ୍ରଧାନ, ନିର୍ମଳ ପରିଡା, ବିଚିତ୍ରାନନ୍ଦ ମହାପାତ୍ର, ବସନ୍ତ କୁମାର ବେହେରାଙ୍କ ସମେତ ଉପସ୍ଥିତ ଥିବା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବିଇଓ ଦୀର୍ଘ ସମୟ ଆଲୋଚନା କରିବା ପରେ ବିଦ୍ୟାଳୟକୁ ତୁରନ୍ତ ଶିକ୍ଷକ ନିଯୁକ୍ତି ଦିଆଯିବା ପାଇଁ ପ୍ରତିଶୃତି ଦେବାରୁ ଆନ୍ଦୋଳନ ହଟିଥିଲା ।
