pakka

ଫସଲ ବୀମା ରାଶି ପ୍ରଦାନ ଦାବୀରେ କୃଷକ ସଂଗଠନ ରେଳରୋକ୍‌ ଆନ୍ଦୋଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ଦାବୀରେ ଆଜି ବରଗଡ଼ ରୋଡ଼ ରେଳ ଷ୍ଟେସନରେ ଶହ ଶହ ଚାଷୀ ରେଳରୋକ୍‌ କରିଥିବା ଜଣାପଡିଛି । ଫଳରେ ଦୀର୍ଘ ୫ଘଣ୍ଟା ଧରି ସମ୍ବଲପୁର ବଲାଙ୍ଗିର ରେଳ ଷ୍ଟେସନ ମଧ୍ୟରେ ଚଳାଚଳ କରୁଥିବା ପ୍ରାୟ ୧୦ଟି ଏକ୍ସପ୍ରେସ ଓ ପାସେଞ୍ଜର ସମେତ ମାଲବାହୀ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା । ସେହିପରି ରେଳ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ବଲାଙ୍ଗିର ପଟୁ ଆସୁଥିବା ଏକ ଏକ୍ସପ୍ରେସ ବରଗଡ଼ ରୋଡ଼ ଷ୍ଟେସନରୁ ୨କିମି ବାହାରେ ୩ ଘଣ୍ଟା ଧରି ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ପାଣି ବୁନ୍ଦାଏ ପାଇବାକୁ ଅସମର୍ଥ ହୋଇଥିଲେ । ରାଜବୋଡାସମ୍ବର କୃଷକ ସଂଗଠନର ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର କୃଷକ ସଂଗଠନର ଶହ ଶହ ସଦସ୍ୟମାନେ ଏହି ରେଳରୋକ୍‌ରେ ସାମିଲ ହୋଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ୨୦୨୧ ଖରିଫ ଫସଲ କ୍ଷତିର ବୀମା କ୍ଷତିପୂରଣ ମିଳିପାରି ନାହିଁ । ଚାଷୀମାନେ ଗତ ଆଠ ମାସ ଧରି ବିଭିନ୍ନ ପ୍ରକ୍ରିୟାରେ ଏଚଡିଏଫସି ବୀମା କମ୍ପାନୀ ଏବଂ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳି ପାରିଲା ନାହିଁ । ଏହାର ପ୍ରତିବାଦରେ ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଆଜି ରେଳରୋକ୍‌ ଆନ୍ଦୋଳନ କରି ବରଗଡ଼ ରୋଡ ରେଳଷ୍ଟେସନ ରେଳ ଧାରଣା ଉପରେ ଚାଷୀମାନେ ବସି ରହିଥିଲେ ।

Leave A Reply

Your email address will not be published.

four + 7 =