jayashree

ଆଦିବାସୀଙ୍କୁ ସୁରକ୍ଷା ଦିଅ, ନଚେତ ଦୁର୍ବାର ଆନ୍ଦୋଳନ: ନିରଞ୍ଜନ ବିଶି

  • କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ ।
  • କଣ୍ଟାମାଳ ଓ ତାଳମପଦରରେ ଆଦିବାସୀଙ୍କ ସହ ଆଲୋଚନା ପୋଲିସ ଫୋର୍ସ ପ୍ରତ୍ୟାହାର ଦାବି ।
  • ଜଳ–ଜଙ୍ଗଲ–ଜମି, ଜୀବିକା ଓ ସାଂସ୍କୃତିକ ପରିଚୟ ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନିରଞ୍ଜନ ବିଶି ।

ବଲାଙ୍ଗିର /କଳାହାଣ୍ଡି, (କେପିଏନ୍‌ଏସ୍‌) : ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରବିବାର କୁଟ୍ରୁମାଳି ଓ ସିଜିମାଳି ଅଞ୍ଚଳ ସମେତ କଣ୍ଟାମାଳ ଓ ତାଳମପଦର ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଆଦିବାସୀ ଜନସାଧାରଣ, ଗ୍ରାମସଭା ସଦସ୍ୟ, ପାରମ୍ପରିକ ନେତୃବୃନ୍ଦ, ଆଦିବାସୀ କର୍ମୀ ଓ ବିଭିନ୍ନ ସମାଜ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ମା’ ମାଟି ମାଳି ସୁରକ୍ଷା ମଞ୍ଚର ନେତୃବୃନ୍ଦ, କର୍ମୀ ଓ ସଦସ୍ୟମାନଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକମାନେ ନିଜ ଅଞ୍ଚଳର ଜମି–ଜଙ୍ଗଲ–ଜଳ, ପାହାଡ଼–ପର୍ବତ, ଡଙ୍ଗର, ନଦୀ–ନାଳ–ଝରଣା, ପ୍ରାକୃତିକ ସମ୍ପଦ, ପରିବେଶ, ଜୀବିକା, ସମ୍ଭାବ୍ୟ ବିସ୍ଥାପନ ଓ ପୁନର୍ବାସ ସହିତ ପାରମ୍ପରିକ ଜୀବନଶୈଳୀ, ସଂସ୍କୃତି ଓ ସାମୁଦାୟିକ ପରିଚୟ ସମ୍ପର୍କରେ ନିଜର ମତ, ଦାବି ଓ ଆଶଙ୍କା ଉପସ୍ଥାପନ କରିଥିଲେ । ଆଦିବାସୀ ଅଞ୍ଚଳ ଓ ଅଧିକାରର ସୁରକ୍ଷା ପାଇଁ ପେସା ଆଇନ, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ, ସମ୍ବିଧାନର ପଞ୍ଚମ ଅନୁସୂଚୀ, ଓଡିଶା ଆଦିବାସୀ ଅଞ୍ଚଳ ଜମି ହସ୍ତାନ୍ତର ରେଗୁଲେସନ ଏବଂ ଏସ୍‌ଟି ଏସ୍‌ସି ନିର୍ଯ୍ୟାତନା ନିବାରଣ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଓ ଆଇନଗତ ସୁରକ୍ଷା ବ୍ୟବସ୍ଥା ରହିଥିବା ବିଶି ଉଲ୍ଲେଖ କରିଥିଲେ । ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଜମି ହସ୍ତାନ୍ତର ଉପରେ ୧୯୫୬ର ରେଗୁଲେସନ ୨ ବିଶେଷ ସୁରକ୍ଷା ପ୍ରଦାନ କରୁଛି । ଆଦିବାସୀ ଉନ୍ନୟନ ପାଇଁ ସମ୍ୱନ୍ୱିତ ଆଦିବାସୀ ବିକାଶ ସଂସ୍ଥା ସମେତ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା ରହିଛି । ରାୟଗଡ଼ା ଜିଲ୍ଲା ଅନୁସୂଚିତ ଅଞ୍ଚଳ ଅନ୍ତର୍ଭୁକ୍ତ ଥିବାବେଳେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ ଅନୁସୂଚିତ ଅଂଚଳ ଭାବେ ଅଧିସୂଚିତ ଅଞ୍ଚଳରେ ରହିଛି । ଶ୍ରୀ ବିଶି କହିଥିଲେ ଯେ, ସମ୍ବିଧାନର ପଞ୍ଚମ ଅନୁସୂଚୀତ ଅଞ୍ଚଳ ଓ ଆଦିବାସୀ ମାନଙ୍କର ପ୍ରଶାସନ ବ୍ୟବସ୍ଥା ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥକ୍ଷ ରହିଛି । ଏହା ଅନୁଯାୟୀ ରାୟଗଡା ଜିଲ୍ଲାର ପ୍ରଶାସନ ସମ୍ପର୍କରେ ରାଜ୍ୟପାଳ ପ୍ରତିବର୍ଷ କିମ୍ବା ରାଷ୍ଟ୍ରପତି ଆବଶ୍ୟକ ମନେ କଲେ ରାଷ୍ଟ୍ରପତିଙ୍କୁ ପ୍ରତିବେଦନ ଦେବାର ବ୍ୟବସ୍ଥା ରହିଛି । ରାୟଗଡାର ପ୍ରଶାସନ ସମ୍ପର୍କରେ ଓଡ଼ିଶା ରାଜ୍ୟପାଳଙ୍କ ବିଶେଷ ସାମ୍ବିଧାନିକ ଭୂମିକା ମଧ୍ୟ ରହିଛି । ଏତେ ସବୁ ସାମ୍ବିଧାନିକ, ଆଇନଗତ ଓ ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସ୍ଥାନୀୟ ଆଦିବାସୀମାନେ ନିଜ ଜମି, ଜଙ୍ଗଲ, ଜଳ, ଜୀବିକା, ପ୍ରାକୃତିକ ସମ୍ପଦ, ସଂସ୍କୃତି ଓ ପାରମ୍ପରିକ ଅଧିକାରକୁ ନେଇ ଯେଉଁ ଚିନ୍ତା ଓ ଆଶଙ୍କା ଉଠାଇଛନ୍ତି, ତାହାକୁ ସମ୍ପୃକ୍ତ ପ୍ରଶାସନିକ ଓ ସାମ୍ବିଧାନିକ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ମହାମହିମ ଓଡ଼ିଶା ରାଜ୍ୟପାଳ ଏହି ପ୍ରସଙ୍ଗରେ ପଞ୍ଚମ ଅନୁସୂଚୀର ସାମ୍ବିଧାନିକ ବ୍ୟବସ୍ଥା ଦିଗରେ ଅନୁଧ୍ୟାନ କରି ରାୟଗଡ଼ା ଓ କଳାହାଣ୍ଡିର ସମ୍ପୃକ୍ତ ଅନୁସୂଚିତ ଅଞ୍ଚଳର ଆଦିବାସୀ ସମୁଦାୟଙ୍କ ଅଧିକାର, ଜୀବିକା, ପାରମ୍ପରିକ ସମ୍ପଦ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆବଶ୍ୟକ ସାମ୍ବିଧାନିକ ଓ ପ୍ରଶାସନିକ ପଦକ୍ଷେପ ଉପରେ ବିଚାର କରନ୍ତୁ ବୋଲି ଶ୍ରୀ ବିଶି ଅନୁରୋଧ କରିଛନ୍ତି । ଏହି ପରିଦର୍ଶନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, କଳାହାଣ୍ଡିର ଜିଲ୍ଲା ସଭାପତି ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ପରମାନନ୍ଦ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିରର ସଂଗଠନ ସମ୍ପାଦକ ଥବିର ପୁଝାରୀ, ମା’ ମାଟି ମାଳି ସୁରକ୍ଷା ମଞ୍ଚର ସୁବାସ ସିଂ ମାଝି, ଲାଇ ମାଝି, ଲକ୍ଷ୍ମଣ ମାଝି, ଅନ୍ୟ ନେତୃବୃନ୍ଦ ଓ ସଦସ୍ୟଙ୍କ ସମେତ ଶତାଧିକ ଆଦିବାସୀ ନେତା, କର୍ମୀ ଓ ସମାଜ ପ୍ରତିନିଧି ଉପସ୍ଥିତ ଥିଲେ । ଶ୍ରୀ ବିଶି କହିଥିଲେ, “ଜଳ–ଜଙ୍ଗଲ–ଜମି କେବଳ ପ୍ରାକୃତିକ ସମ୍ପଦ ନୁହେଁ; ଏହା ଆଦିବାସୀ ସମାଜର ଜୀବନ, ଜୀବିକା, ପରମ୍ପରା, ସଂସ୍କୃତି ଓ ପରିଚୟ ସହ ଅବିଚ୍ଛିନ୍ନ ଭାବେ ଜଡ଼ିତ । ଆଦିବାସୀଙ୍କ ସ୍ୱର ଓ ଆଇନସମ୍ମତ ଅଧିକାରକୁ ସେମାନଙ୍କ ଜୀବନ ଓ ସମ୍ପଦକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ସିଦ୍ଧାନ୍ତରେ ଯଥୋଚିତ ସମ୍ମାନ ଓ ଗୁରୁତ୍ୱ ମିଳିବା ଦରକାର ବୋଲି ଉଦ୍‌ବୋଧନ ଦେଇଥିଲେ । କଣ୍ଟାମାଲ ଗାଁରେ ପୋଲିସ ମୁତୟନକୁ ଶ୍ରୀ ବିଶି କଡ଼ା ସମାଲୋଚନା କରିଥିଲେ । ଆବାହମାନ କାଳରୁ କୁଟ୍ରୁମାଳୀ ସିଜିମାଳୀ, ଖଣ୍ଡୁଆଳ ମାଳି, ବଫାଳି ମାଳି ପର୍ବତ ପରିଧିରେ ବସବାସ କରୁଥିବା ୫୦ ରୁ ଅଧିକ ଆଦିବାସୀ ଗାଁର ଶାନ୍ତ ସରଳ ଆଦିବାସୀଙ୍କ ନାମରେ ମିଥ୍ୟା ଅପରାଧିକ କେଶରେ ପୋଲିସ ଛନ୍ଦି ଦେଉଥିବା କାର୍ଯ୍ୟକୁ ପୂର୍ବତନ ସାଂସଦ ଶ୍ରୀ ବିଶି ଦୃଢ଼ ନିନ୍ଦା କରିଥିଲେ । ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ମାନବାଧିକାର ଆୟୁକ୍ତ, ଜାତୀୟ ଆଦିବାସୀ ଆୟୁକ୍ତ, ଉଚ୍ଚତମ ନ୍ୟାୟାଳୟ ନିଜଆଡୁ ମାମଲା ରୁଜୁ କରି ଆଦିବାସୀ ଦମନ ଲୀଳା ତଦନ୍ତ କରିବାକୁ ଆଦିବାସୀ ନେତାମାନେ ଦାବି କରିଥିଲେ । ନଚେତ ସରକାରଙ୍କ ଆଦିବାସୀ ମାରଣ କାର୍ଯ୍ୟ ବିରୁଦ୍ଧରେ ବିଧାନସଭା ଘେରାଓ କରାଯିବ ବୋଲି ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.