ସୁକତେଲ ଜଳ ଭଣ୍ଡାରରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ବୁଡି ତିନୋଟି ପଞ୍ଚାୟତ ଅନ୍ଧାରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳପ୍ରକଳ୍ପକୁ ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବେଳେ ଏବେ ଏହା ଉପରମୁଣ୍ଡରେ ଥିବା ରେଙ୍ଗାଲି, ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦଶାଧିକ ଗାଁ ପାଇଁ ଅଭିଶାପ ପାଲଟି ଯାଇଛି । ଉକ୍ତ ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକୁ ଚୁଡାପାଲି ସେକ୍ସନରୁ ବିଦ୍ୟୁତ ଯୋଗାଣ ହେଉଛି । ବୁଡ଼ିଅଞ୍ଚଳ ଦେଇ ଏ ବିଦ୍ୟୁତ୍ ସେବା ଉକ୍ତ ଅଞ୍ଚଳକୁ ଯାଉଥିବା ହେତୁ ସୁକତେଲ ଜଳ ଭଣ୍ଡାରରେ ଜଳସ୍ତର ବଢିଯିବାରୁ ବିଦ୍ୟୁତ ଖୁଣ୍ଟଗୁଡିକ ତାର ସହିତ ବୁଡିଯାଇଛି ଯଦ୍ୱାରା ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି । ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ଏହି ଅଞ୍ଚଳ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବିଦ୍ୟୁତ ସେବାରୁ ବଞ୍ଚିତ ହେଲେ । କିନ୍ତୁ ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ବିଗତ ଦିନରେ ଲୋଇସିଂହାଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅନୁରୋଧ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଗୁହାରି କରିଥିଲେ । ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କର ଅନୁରୋଧକୁ କର୍ଣ୍ଣପାତ ନ କରି ବସି ରହିଲା । ଆଗକୁ ୫ଟି ସଚିବ ପାଣ୍ଡିଆନଙ୍କର ବଲାଙ୍ଗିର ଗସ୍ତ ସମୟରେ ହଜାର ହଜାର ପୁରୁଷ ମହିଳା ପିଲା ଛୁଆ ଧରି ବଲାଙ୍ଗିରରେ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଖୋଲା ଚେତାବନୀ ଦେଉଛନ୍ତି ।

Leave A Reply

Your email address will not be published.