pakka

ପଣ୍ଡିତ ଉତ୍କଳମଣିଙ୍କ ସୃଷ୍ଟି ସମ୍ପର୍କିତ ଆଲୋଚନାଚକ୍ର

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ସୃଷ୍ଟି ସମ୍ଭାର ଉପରେ ଏକ ଆଲୋଚନାଚକ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳମଣିଙ୍କ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗୋପବନ୍ଧୁ ଏକାଧାରରେ ମାନବବାଦୀ ମଣିଷ, କବି, ଅନୁବାଦକ, ତଥା ପ୍ରବନ୍ଧରେ ଗଣଭାଷାର ପ୍ରବର୍ତ୍ତକ ଥିଲେ । ସେ ଥିଲେ ସମର୍ପିତ ପ୍ରତିଷ୍ଠାତା । ଉତ୍କଳୀୟ ଭାବଧାରାର ବିକାଶ ସହ ମାନବବାଦର ପ୍ରସାର ଥିଲା ତାଙ୍କ ଭାବାଦର୍ଶ । ପଣ୍ଡିତଙ୍କ ସୃଷ୍ଟିରେ ମାନବବାଦର ଦର୍ଶନ ସ୍ପଷ୍ଟ ପରିଲକ୍ଷିତ ହୁଏ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜୀବନ ଜିଜ୍ଞାସାର କବି ଥିଲେ ଗୋପବନ୍ଧୁ । ତାଙ୍କ ରଚିତ ଧର୍ମପଦ, ବନ୍ଦୀର ଆତ୍ମକଥା, କାରାକବିତା, ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ, ଓଡ଼ିଆର ଜାତୀୟତା, ଗୋମାହାତ୍ମ୍ୟ ପ୍ରଭୁତି କାବ୍ୟ କବିତାରେ ଜାତୀୟତା ବୋଧ, ବିଶ୍ୱ ପ୍ରେମ ଭାବ ଅତି ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ତତ୍କାଳୀନ ସମାଜରେ ପରିବ୍ୟାପ୍ତ ଅଶିକ୍ଷା, କୁସଂସ୍କାର, ଅନ୍ଧବିଶ୍ୱାସ ଓ ନିଶା ରାକ୍ଷସର ପ୍ରଭାବ ବିରୁଦ୍ଧରେ ସେ ସ୍ୱରକୁ ଶାଣିତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି ପଣ୍ଡିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ତାଙ୍କ ଜୀବନସୂତ୍ର କର୍ମତତ୍ପରତା ଓ ଉତ୍ସର୍ଗୀକୃତ ଚେତନାରେ ସମୁଜ୍ଜଳ ବଳିଷ୍ଠ ଅଭିବ୍ୟକ୍ତି । ଗୋପବନ୍ଧୁଙ୍କ ଆଚରଣ ଓ ଉଚ୍ଚାରଣରେ ସମାନତାର ମହକ ପରିଦୃଶ୍ୟ ହୋଇଛି । ଅନ୍ୟତମ ଶିକ୍ଷୟିତ୍ରୀ ସିଲା ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗୋପବନ୍ଧୁ ସେବା, ସମର୍ପଣ ଓ ମାନବୀୟ ମୂଲ୍ୟବୋଧର ପରମ ଉପାସକ ଥିଲେ । ଚତୁଃପାର୍ଶ୍ଵରେ ଘଟୁଥିବା ଘଟଣାର ନିର୍ୟାସ ହିଁ ତାଙ୍କ ସାରସ୍ଵତ ଜୀବନର ମୂଳମନ୍ତ୍ର । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ଦୁବେ କହିଲେ ଯେ, ଗୋପବନ୍ଧୁ କଳା ସଚେତନ ନହୋଇ ହୋଇଛନ୍ତି କାଳ ସଚେତନ । ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥା ସହ ଓଡ଼ିଆ ସାହିତ୍ୟର କିପରି ଅଗ୍ରଗତି ହୋଇ ପାରିବ ସେଥିପାଇଁ ସେ ପରିକଳ୍ପନା କରିଥିଲେ । ଏହି ଅବସରରେ ଛାତ୍ର ତାପସ କୁମାର ମହାପାତ୍ର ବକ୍ତବ୍ୟ ରଖିଥିବା ବେଳେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବୀଣାପାଣି ରାୟ, ରଞ୍ଜନା ବେହେରା, ଅମର କୁମାର ସାମଲ, ବିଳାସିନୀ ସ୍ୱାଇଁ, ଜ୍ୟୋସ୍ନା ମହାନ୍ତି, ହୀରାମଣୀ ସୋରେନ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 + 9 =

error: Content is protected !!