pakka

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ୮୯ତମ ଜୟନ୍ତୀ ପାଳନ ଉପଲକ୍ଷେ “ଚେତନାର ଉତ୍ତରଣ -ମନୋଜ ଦାସଙ୍କ କଥା ସାହିତ୍ୟର ଏକ ଆକଳନ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାତୃ ଯନ୍ତ୍ର ସଙ୍ଗୀତ ସହ ନୀରବତା ଅବଲମ୍ବନ ତଥା ଶ୍ରୀଅରବିନ୍ଦ କୃତ “ସାବିତ୍ରୀ,” ପଠନରୁ । ଯାହାକୁ ପାଠ କରିଥିଲେ ଅରୂପ ସୁବୁଦ୍ଧି । ଶ୍ରୀଅରବିନ୍ଦ ଯୋଗମନ୍ଦିରର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୋଗମନ୍ଦିରର ସମ୍ପାଦକ ଡାକ୍ତର ପ୍ରଶାନ୍ତ ପାତ୍ର ଏ କାର୍ଯ୍ୟକ୍ରମ ବିଷୟରେ ପ୍ରାକ ସୂଚନା ଦେଇଥିଲେ । ଏହି ଆଲୋଚନାକୁ ବରେଣ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ବରଗଡ଼ ପଞ୍ଚାୟତ କଲେଜର ଇଂରାଜୀ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ସାହୁ । ସେ ନିଜ ବକ୍ତବ୍ୟରେ ମନୋଜ ଦାସଙ୍କୁ ଭାରତ ମାତାର ଜଣେ ସଚ୍ଚା ସେବକ ତଥା ସାହିତ୍ୟ ଜଗତର ଜଣେ ବ୍ରହ୍ମା ବୋଲି ମତବ୍ୟକ୍ତ କରିବା ସହ ତାଙ୍କ କାଳଜୟୀ କୃତି ଲକ୍ଷ୍ମୀର ଅଭିସାର, ଶେଷ ବସନ୍ତର ଚିଠି, ବ୍ୟାଘ୍ରାରୋହଣ, ସାତ ଜଣ ପ୍ରବୀଣ ଆଦି ଗଳ୍ପର ଉଦାହରଣ ଦେଇ ସେ ଗଳ୍ପର ଚରିତ୍ର ମାନଙ୍କର କିପରି ଚେତନାର ଉତ୍ତରଣ ଘଟିଥିଲା ତାହା ପ୍ରକାଶ କରିଥିଲେ । ଅହଂର ଆମୂଳ ଚୂଳ ପରିବର୍ତ୍ତନ ବିନା ଚେତନାର ବିବର୍ତ୍ତନ ହୋଇପାରେ ନାହିଁ । ମନୋଜ ଦାସଙ୍କ ସାହିତ୍ୟ ଭଳି ଉଚ୍ଚାଙ୍ଗ ସାହିତ୍ୟ ମାଧ୍ୟମରେ ଚେତନାର ବିଭିନ୍ନ ସ୍ତର ଅତିକ୍ରମ କରି ଆମେ କିପରି ଆମଚେତନାର ଉତ୍ତରଣ ଦିଗରେ ଅଗ୍ରସର ହୋଇ ପାରିବା ତାହା ସେ ପ୍ରକାଶ କରିବା ସହ ତାଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଥିବା ସମତା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ଡଃ କିଶୋରୀ ଦାଶ ଏ ଆଲୋଚନାକୁ ସଂଚାଳନ କରିବା ସହ ଏହାର ନିର୍ୟାସ ଉପସ୍ଥାପନ କରିଥିଲା ବେଳେ ଏ ସହରର ବିଶିଷ୍ଟ କବି ମୀନକେତନ ପଶାୟତ ମନୋଜ ଦାସଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ ଓ ଅଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଅରବିନ୍ଦ ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ, ଶୁଭ୍ରାଂଶୁ ଶେଖର ପରିଡା, ଚିତ୍ତରଞ୍ଜନ ନନ୍ଦୀ, ରଂଜିତ ଦାଶ, ନଳିନୀ ପ୍ରଭା ପଟ୍ଟନାୟକ, ଡକ୍ଟର ରାଜ୍ୟବର୍ଦ୍ଧନ ପଟ୍ଟନାୟକ, କଳ୍ପନା ଚୌଧୁରୀ, ସୌମ୍ୟ ପାଣିଗ୍ରାହୀ, ରୋହିତାଂଶୁ ବାରିକ, ସ୍ୱପ୍ନା ଘୋଷ, ଅରୁନ୍ଧତୀ ନନ୍ଦୀ, ଭାଗ୍ୟଲତା ସେଠି ଯୋଗମାୟା, ସ୍ୱପ୍ନା ମିଶ୍ର, ଲକ୍ଷ୍ମଣ ନାଥ ଦାସ, ଡା କୃପାସିନ୍ଧୁ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାର୍ଯ୍ୟ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

2 × four =