
ରାଉରକେଲା, (ସସ୍ମିତା ପ୍ରଧାନ) : ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ଆସୋସିଏସନ ତରଫରୁ ସେବା କ୍ଷେତ୍ରରେ ଉଦାହରଣ ପାଲଟିଥିବା ହୋମଗାର୍ଡ ଅଞ୍ଜନାରାଣୀ ମାଝୀ ଓ ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ଗୋପିନାଥ ବେହେରାଙ୍କୁ ଛେଣ୍ଡ ଥାନା ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ସାଧାରଣ ସମ୍ପାଦକ ଡ. ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛେଣ୍ଡ ଥାନା ପ୍ରଭାରୀ ବିକ୍ରମ କେଶରୀ ଭୂୟାଁ ଓ ପ୍ରାକ୍ତନ ପୁଲିସ ଅଧିକାରୀ ରଞ୍ଜିତ କୁମାର ଭୋଇ ଅତିଥି ଭାବେ ଯୋଗଦେଇ ଉଭୟଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅଞ୍ଜନାରାଣୀ ଓ ଗୋପିନାଥ ସେମାନଙ୍କ କର୍ମ, ସମାଜସେବା ପ୍ରତି ପ୍ରତିବଦ୍ଧତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତ ରଖିଥିଲେ । ସୂଚନାଯୋଗ୍ୟ ଯେ, ଅଞ୍ଜନାରାଣୀ ୨୦୦୦ ମସିହାରେ ସିଭିଲ ଡିଫେନ୍ସରେ ଯୋଗଦେଇ ପରେ ୨୦୧୭ରୁ ୨୦୨୫ ମଧ୍ୟରେ ପୋଲିସ ହୋମଗାର୍ଡ ଭାବେ ଯୋଗଦେଇ ୩ ଥର ଶ୍ରେଷ୍ଠ ନିଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ । ତେବେ ଛେଣ୍ଡର ପ୍ଲୁଟନ ମଲ ନିକଟରେ ହୋଇଥିବା ଦୁର୍ଘଟଣାରେ ଶିକାର ହୋଇଥିବା ଇଶ୍ଵର ଓରାମଙ୍କୁ ମାନବିକତା ଦେଖାଇ ତାଙ୍କୁ ବଞ୍ଚାଇବା ପାଇଁ ସିପିଡି ଦେବା ସହ ହସ୍ପିଟାଲ ପହଞ୍ଚାଇ ଥିଲେ । ସେହିପରି ଗୋପିନାଥ ଦିବ୍ୟାଙ୍ଗ ହୋଇ ମଧ୍ୟ କାହା ଉପରେ ନିର୍ଭର ନକରି ନିଜକୁ ସ୍ୱାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି । ଶେଷରେ କୀର୍ତ୍ତନ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ବିଶ୍ୱାଳ, ବ୍ରହ୍ମାନନ୍ଦ ମହାନ୍ତି, ଖଗେଶ୍ୱର ରାଉଳ, ପ୍ରଶାନ୍ତ ମହାପାତ୍ର, ମୋହନପାଣି କାରୁଆ, ପ୍ରମୋଦ ବେହେରା, ସୁବାସ ବିଶ୍ୱାଳ, ଉପେନ୍ଦ୍ର ବେହେରା, ବିଶ୍ୱନାଥ ଦାସ, ସୁଧୀର ନାଥ, ରବି ନାୟକ, ବେଣୁଧର ମଲ୍ଲ ଓ ଥାନା ପକ୍ଷରୁ ସବଇନ୍ସପେକ୍ଟର ପ୍ରିୟଙ୍କା ସାହୁ, ଓମ୍ ପ୍ରକାଶ ରାଉତରାୟ ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।