ଓଡ଼ିଆ ସଂସ୍କୃତି, ନାଚଗୀତରେ ଗୁଂଜରିତ ହେଲା ଆବୁଧାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଯୁକ୍ତ ଆରବ ଏମିରଟ୍‌ସ୍‌ର ରାଜଧାନୀ ଆବୁଧାବିରେ ‘ଓଡ଼ିଆ ସମାଜ ଆବୁଧାବି’ ପକ୍ଷରୁ ଉକ୍ରଳ ଦିବସ ଉପଲକ୍ଷେ ଗତ ୨୬ ତାରିଖ ଦିନ ଇଣ୍ଡିଆନ୍‌ ସୋସିଆଲ୍‌ ଏଣ୍ଡ୍‌ କଲ୍‌ଚରାଲ୍‌ ସେଂଟର୍‌ ଠାରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉକ୍ରର୍ଷ’ ଆୟୋଜିତ ହୋଇଥିଲା । ସମସ୍ତ ଓଡ଼ିଶାବାସୀଙ୍କୁ ବିଦେଶରେ ଓଡ଼ିଶା ସଂସ୍କୃତି ସହିତ ବାନ୍ଧି ରଖିବା ପାଇଁ ଓ ପ୍ରବାସୀ ଓଡ଼ିଆ ପିଲାଙ୍କୁ ଓଡ଼ିଶାର କଳା ଓ ସଂସ୍କୃତିକୁ ଉଜାଗର କରିବା ଦିଗରେ ‘ଉକ୍ରର୍ଷ’ ଏକ ଅଭିନବ ପ୍ରୟାସ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ପାରମ୍ପାରିକ ତଥା ଆଧୁନିକ କଳାର ସମନ୍ୱୟ ରକ୍ଷା କରି ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦେବଂଶୀ ଜଗନ୍ନାଥଙ୍କ ମହିମା ଗାନ କରିଥିଲେ । ଭାରତର ସଂଯୁକ୍ତ ଆରବ ଏମିରଟ୍‌ସ୍‌ ରାଜଦୂତ ସଂଜୟ ସୁଧୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ଓଡ଼ିଶାର କଳା ଓ ସଂସ୍କୃତି ସଂପର୍କରେ ବିଶେଷ ଭାବରେ ଆଲୋକପତା କରିଥିଲେ ମୁଖ୍ୟ ଅତିଥି ଶ୍ରୀ ସୁଧୀର । ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସମାଜ ଆବୁଧାବିର ମୁଖପତ୍ର ‘ପ୍ରବାସୀ ଉକ୍ରର୍ଷ’ ଉନ୍ମୋଚିତ ହୋଇଥିଲା । ସଭା କାର୍ଯ୍ୟ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଗୋଟି ପୁଅ ଲୋକନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ଦୀପ୍ତିରେଖା ଓ ସତ୍ୟଜିତ ସଂଗୀତ ପରିବେଷଣ କରିଥିବା ବେଳେ ତାଙ୍କ ଗୀତର ତାଳେ ତାଳେ ଦର୍ଶକମାନେ ଝୁମି ଉଠିଥିଲେ । ବିଶେଷ କରି ଆବୁଧାବିରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନାଚ ଓ ଓଲିଉଡ଼୍‌ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ଫେସନ୍‌ ସୋ ଏବଂ ଓଡ଼ିଆ ଖାଦ୍ୟ । କାର୍ଯ୍ୟକ୍ରମରେ ସଂଯୁକ୍ତ ଆରବ ଏମିରଟ୍‌ସ୍‌ର ଅନ୍ୟ ପ୍ରାନ୍ତରୁ ୪୦୦ରୁ ଅଧିକ ଓଡ଼ିଆ ଏଥିରେ ଯୋଗଦାନ କରିଥିଲେ । ଓଡ଼ିଶା ବାହାରେ ଓଡ଼ିଆ ସଂସ୍କୃତି ଓ ସମୃଦ୍ଧ ପରମ୍ପରାକୁ ବଜାୟ ରଖିଥିବାରୁ ଓଡ଼ିଆ ସମାଜ ଆବୁଧାବିର ସଭାପତି ମାନସ ଉଦ୍‌ଗାତା ଖୁସି ବ୍ୟକ୍ତ କରିଥିଲେ । ସାଧାରଣ ସଂପାଦକ କାର୍ତ୍ତିକ ସିଂହ, ସାଂସ୍କୃତିକ ସଂପାଦକ ଜିତେନ୍ଦ୍ର ମିଶ୍ର, ଉପସଭାପତି ରବି ଦାଶ, କୋଷାଧ୍ୟକ୍ଷ ରୋହିତ ପଟେଲ, ଉପଦେଷ୍ଟା ହିମାଂଶୁ ଦାଶ, ଅଶୋକ ପଣ୍ଡା, ପ୍ରଦୀପ ରଥ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଦାୟିତ୍ୱ ନିର୍ବାହ କରିଥିବା କୁହାଯାଇଛି ।

Leave A Reply

Your email address will not be published.