jayashree

ପ୍ରେମ ପରେ ପ୍ରତାରଣା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଦେଖାରୁ ପ୍ରେମ ଆଉ ପରେ ମନ୍ଦିରରେ ସିନ୍ଦୂର ପିନ୍ଧାଇ ବିବାହ । ସାତ ଜନ୍ମର ସାଥୀ ହେବାର ପ୍ରତିଶୃତି ଦେଇଥିବା ଯୁବକ ଏବେ ମୁହଁ ମୋଡ଼ି ଚାଲିଯାଇଥିବା ଅଭିଯୋଗ । ଏପରି ଅଭିଯୋଗ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ । ନ୍ୟାୟ ଦାବି କରିବା ସହ ଯୁବକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସେ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ସମ୍ବଲପୁରରେ କାମ କରୁଥିବା ସମୟରେ ଗାଇସିଲେଟ ଥାନା ଅନ୍ତର୍ଗତ ସିନ୍ଧବହାଲି ଗାଁର ଜିତୁ ପାତ୍ର ନାମକ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ପରେ ଏହି ପରିଚୟ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ସମ୍ପର୍କ ଆଗକୁ ବଢ଼ିବା ପରେ ଉଭୟେ ଏକ ମନ୍ଦିରରେ ବିବାହ କରିଥିବା ଯୁବତୀ ଦାବି କରିଛନ୍ତି । ଏହାପରେ ପରିବାର ଲୋକଙ୍କ ଅଜାଣତରେ ବିଭିନ୍ନ ସ୍ଥାନକୁ ଯାଇ ଦୁହେଁ ସାଙ୍ଗରେ ରହୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଯୁବତୀଙ୍କ ଅଭିଯୋଗ ହେଉଛି, ସମ୍ପର୍କ ସମୟରେ ଯୁବକ ତାଙ୍କଠାରୁ ବାରମ୍ବାର ଟଙ୍କା ମାଗୁଥିଲେ ଏବଂ ତାଙ୍କୁ ମାନସିକ ଭାବେ ନିର୍ଯ୍ୟାତନା ଦେଉଥିଲେ । “ମୋ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିଥିଲେ । ଶେଷ ଥର ବଲାଙ୍ଗିରର ଏକ ହୋଟେଲରେ ଦେଖା ହୋଇଥିଲା । ଘରକୁ ଯାଇ ପରିବାର ଲୋକଙ୍କୁ ଆମ ସମ୍ପର୍କ ବିଷୟରେ କହିବେ ବୋଲି କହିଥିଲେ । କିନ୍ତୁ ଏବେ ମୋତେ ଛାଡ଼ି ଦେଇଛନ୍ତି । ମୁଁ ନ୍ୟାୟ ଚାହୁଁଛି ।” ଯୁବତୀଙ୍କ କହିବା ଅନୁସାରେ, ଶେଷ ଥର ବଲାଙ୍ଗିରର ଏକ ହୋଟେଲରେ ଦୁହେଁଙ୍କ ଦେଖା ହୋଇଥିଲା । ସେଠାରେ ମଧ୍ୟ ଯୁବକ ବିବାହିତ ସମ୍ପର୍କକୁ ପରିବାର ସମ୍ମୁଖରେ ସ୍ୱୀକାର କରିବେ ବୋଲି କହିଥିବା ଯୁବତୀ ଅଭିଯୋଗ କରିଛନ୍ତି । ହେଲେ ପରେ ଯୁବକ ନିଜ ମତ ବଦଳାଇ ତାଙ୍କୁ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି । ଏହାପରେ ନ୍ୟାୟ ଦାବି କରି ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ପ୍ରେମ ସମ୍ପର୍କରୁ ବିବାହ ଏବଂ ପରେ ପ୍ରତାରଣା ଅଭିଯୋଗ । ଏହି ଅଭିଯୋଗକୁ ନେଇ ଏବେ ନ୍ୟାୟ ଦାବି କରିଛନ୍ତି ଯୁବତୀ । ଘଟଣାରେ ପୁଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ଏବେ ଯୁବତୀଙ୍କ ଅଭିଯୋଗ ଉପରେ ପୁଲିସ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ।

Leave A Reply

Your email address will not be published.