jayashree

ନାବାଳିକା ଝିଅକୁ ନେଇ ଯୁବକ ଫେରାର ଅଭିଯୋଗ : ମିଳୁନି ପତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରୁ ଆସିଛି ନାବାଳିକା ନିଖୋଜ ଅଭିଯୋଗ । ଝିଅକୁ ଜଣେ ଯୁବକ ନେଇ ଫେରାର ହୋଇଯାଇଥିବା ନେଇ ପରିବାର ଅଭିଯୋଗ କରିଛି । ଥାନାରେ ଅଭିଯୋଗ ପରେ ମଧ୍ୟ ଝିଅର ପତ୍ତା ମିଳୁନଥିବା ଅଭିଯୋଗ କରି ଏବେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାପା-ମାଆ । ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଦଶମ ଶ୍ରେଣୀ ପାସ୍‌ କରିବା ପରେ କିଛିଦିନ ପାଇଁ ମାମୁଁଘରେ ରହୁଥିଲେ । ତେବେ ଗତ ୧୧ ତାରିଖରେ ସେ ନିଖୋଜ ହୋଇଯାଇଥିବା ପରିବାର ଜାଣିବାକୁ ପାଇଥିଲା । ଖୋଜାଖୋଜି ପରେ ଜଣେ ଯୁବକ ତାଙ୍କ ଝିଅକୁ ନେଇ ଫେରାର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ବେଲପଡ଼ା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ମିଳୁନଥିବା ପରିବାର କହିଛି । ଶେଷରେ ନ୍ୟାୟ ଆଶାରେ ବଲାଙ୍ଗିର ଏସ୍‌ପିଙ୍କ ନିକଟରେ ଗୁହାରି କରିଛନ୍ତି ପରିବାର ଲେକେ ।ନାବାଳିକାଙ୍କୁ ଉଦ୍ଧାର ସହ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ପରିବାର ଦାବି କରିଛି । ତେବେ ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.