
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍ଏଏଲ୍ଏସ୍ଏ) ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁରର ଅଧ୍ୟକ୍ଷ ତଥା ଜ଼ିଲ୍ଲା ଜଜ ଗିରିଜା ପ୍ରସାଦ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷିତ ବଚପନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ‘ହର୍ ବଚ୍ଚା କା ବଚ୍ପନ୍, ହୁଆ ସବସେ ଜିମ୍ମେଦାର’ ସ୍ଲୋଗାନ ସହ ଛାତ୍ରଛାତ୍ରୀମାନେ ଏକ ବିଶାଳ ସଚେତନତା ରାଲିରେ ପ୍ରଭାତ ଫେରୀରେ ବାହାରିଥିଲେ । ୨୬ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସୁରକ୍ଷିତ ଶୈଶବ ଅଭିଯାନ ପର୍ଯ୍ୟାୟ କ୍ରମେ ସୁରକ୍ଷିତ ଶୈଶବ ଅଭିଯାନ, ଏକ ପାନ ଇଣ୍ଡିଆ ବିଦ୍ୟାଳୟ ସଚେତନତା ଅଭିଯାନ, ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ ୨୦୧୨ ଉପଲକ୍ଷେ ଏହି ଆଇନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କ ଅଧିକାର ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଶୋଷଣ ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା । ଉକ୍ତ ରାଲିକୁ ବରିଷ୍ଠ ଦେୱାନୀ ଜଜ ସୋନପୁର ଗଗନ ସାହୁ ଉଦ୍ଘାଟନ କରିଥିଲେ । ଉକ୍ତ ରାଲିରେ କିଡ଼ସ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ସୁଶାନ୍ତ ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ, ସୋନପୁର ପ୍ରିତିଶ କୁମାର ସାମଲ, ଚନ୍ଦ୍ର ଶେଖର ଶବର, ସଦର ଉପଆରକ୍ଷୀ ଅଧିକ୍ଷକ ଜ଼ିଲ୍ଲା ପୋଲିସ ୟୁନିଟର ଭାରପ୍ରାପ୍ତ ସାଇବର ସେଲ୍ ଅଧିକାରୀ ରବୀନ୍ଦ୍ର ସାହୁ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଯୋଗଦାନ କରିଥିଲେ । ଉକ୍ତ ରାଲି ଜିଲ୍ଲା ନ୍ୟାୟାଳୟ ସୋନପୁରରୁ ବାହାରି ମଝିପଡା, ବସଷ୍ଟାଣ୍ଡ ଦେଇ ପୁରୁଣା ମେଡିକାଲ ଅତିକ୍ରମ କରି ପୁନଃ ଜିଲ୍ଲା ନ୍ୟାୟାଳୟ କୁ ପ୍ରତ୍ୟାବର୍ତନ କରିଥିଲା ।