pr

ସେବା ସଂକଳ୍ପ ଅଭିଯାନ-୨୦୨୬

dr. purohit
  • ଆଶୀର୍ବାଦର ଦୀପ – ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ
  • ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ
  • ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’
  • ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭ ମନାସିଲେ ମା’ମାନେ
  • ମୋଦୀଜୀଙ୍କ ସ୍ୱପ୍ନ ପୂରଣ କରିବ ଓଡ଼ିଶା, ଭାରତ ନିଶ୍ଚୟ ବିଶ୍ୱଗୁରୁ ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସଞ୍ଜ ନଇଁଆସୁଥିଲା । ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଧୀରେ ଧୀରେ ଜମୁଥିଲା ଆଲୋକର ବାତାବରଣ । ସେ ଆଲୋକ କୌଣସି କୃତ୍ରିମ ବୈଦ୍ୟୁତିକ ଲାଇଟ ନଥିଲା, ବରଂ ତାହା ଥିଲା ଆମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ସ୍ୱରୂପ ପବିତ୍ର ସଳିତାର ଶିଖା। ଧାଡ଼ିରେ ଜଳୁଥିଲା ହଜାର ହଜାର ଦୀପ । ସନ୍ଧ୍ୟା ଆରତୀର ଘଣ୍ଟ ଘଣ୍ଟା-ଶଙ୍ଖ ଧ୍ୱନି ଏବଂ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଗାୟନରେ ମୁକ୍ତେଶ୍ୱର’ର ପ୍ରାଚୀନ ପାଷାଣ ପ୍ରାଚୀର ଗୁଞ୍ଜରିତ ହୋଇଉଠିଥିଲା । ଭକ୍ତିର ଏହି ମାଦକତା ଭିତରେ, ହଜାର ହଜାର ମହିଳା ଏକାଠି ହୋଇ ଜାଳିଥିଲେ ୧୧,୦୦୦ରୁ ଅଧିକ ଦୀପ । ଗୋଟିଏ ପରେ ଗୋଟିଏ ସଳିତା ଜଳିଉଠିବା କ୍ଷଣି ସମ୍ପୂର୍ଣ୍ଣ ମନ୍ଦିର ପରିସର ଏକ ସ୍ୱର୍ଣ୍ଣାଭ ପ୍ରଭାରେ ପ୍ରଜ୍ୱଳିତ ହୋଇଉଠିଥିଲା, ଯେମିତି ମନେହେଉଥିଲା ଆକାଶର ତାରାସବୁ ମାଟିକୁ ଓହ୍ଲାଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ “ଆଶୀର୍ବାଦର ଦୀପ” କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ତଥା ଯୁବବର୍ଗଙ୍କ ସମାଗମ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ସୃଷ୍ଟି କରିଥିଲା । ହାତରେ ଜଳନ୍ତା ଦୀପ ଧରି ଉପସ୍ଥିତ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ଦୀର୍ଘ ଆୟୁ, ସୁସ୍ଥ ଓ ନିରାମୟ ଜୀବନ ପାଇଁ ନିଷ୍ଠାପର ପ୍ରାର୍ଥନା କରିଥିଲେ । ଏହି ମୁହୂର୍ତ୍ତ ଆହୁରି ଆକର୍ଷଣୀୟ ହୋଇ ଉଠିଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ । ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଏବଂ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଆଧ୍ୟାତ୍ମିକ ସମାବେଶ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ଉପସ୍ଥିତ ସମସ୍ତ ଉତ୍ସାହିତ ଯୁବବର୍ଗଙ୍କ ଗହଣକୁ ଯାଇ ସେମାନଙ୍କ ସହ ଭାବବିନିମୟ କରିଥିଲେ । ସମସ୍ତଙ୍କ ଏହି ଅକୁଣ୍ଠ ଆଶୀର୍ବାଦ, ସମର୍ପଣ ଓ ଶ୍ରଦ୍ଧାଭାବକୁ ସେ ଆନ୍ତରିକତାର ସହ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘‘ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୭୬ତମ ଜନ୍ମ ଦିନ ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଏହି ପବିତ୍ର ଦୀପର ଶିଖା ମୋଦୀଜୀଙ୍କ ପ୍ରତି ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ହୃଦୟରୁ ନିସୃତ ଆଶୀର୍ବାଦର ପ୍ରତୀକ । ଭାରତ ନିଶ୍ଚୟ ବିଶ୍ୱଗୁରୁ ହେବ, ମୋଦୀଜୀଙ୍କ ସ୍ୱପ୍ନ ସାକାର କରିବାକୁ ଆମେ ନିରନ୍ତର ଉଦ୍ୟମ ଜାରି ରଖିବୁ ।’’ ପ୍ରସିଦ୍ଧ ଓଡ଼ିଆ ଗାୟକ-ଗାୟିକାମାନଙ୍କ ଭକ୍ତିପୂତ ଭଜନ ପରିବେଶକୁ ଅଧିକ ଆଧ୍ୟାତ୍ମିକ ଓ ମନ୍ତ୍ରମୁଗ୍ଧକର କରି ତୋଳିଥିଲା । ଉଲ୍ଲେଖଯୋଗ୍ୟ ଯେ, ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଅନ୍ତର୍ଗତ ରାଜ୍ୟର ୩୦ଟି ଜିଲ୍ଲାରେ ୧ କୋଟିରୁ ଅଧିକ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କରାଯାଇଛି । ପ୍ରତ୍ୟେକ ପରିବାର ନିଜ ଘରେ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରି ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ପରିବାର ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତର ପର୍ୟ୍ୟନ୍ତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜିତ ହୋଇଛି । ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ସାମୂହିକ କାର୍ୟ୍ୟକ୍ରମ ଆୟୋଜନ କରାଯିବା ସହ ଦେବାଳୟମାନଙ୍କରେ ଝୋଟି ଚିତା ସହ ସାମୂହିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ହିତାଧିକାରୀ, ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ବ୍ୟାପକ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

nrusinghnath
Leave A Reply

Your email address will not be published.