jayashree

ପଦ୍ମପୁର ଠାରେ ଏସ୍‌ପିସିବି ଓ ଜିଲ୍ଲା ପ୍ରଶାସନ ଦ୍ୱାରା ବୃହତ ପର୍ଯ୍ୟାବରଣ ସଚେତନତା ଅଭିଯାନ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପର୍ଯ୍ୟାବରଣ ସଚେତନତା ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁର ଓ ଜିଲ୍ଲା ପ୍ରଶାସନ, ବରଗଡ଼ର ମିଳିତ ସହଯୋଗରେ ପଦ୍ମପୁର ଠାରେ ଏକ ବୃହତ ପର୍ଯ୍ୟାବରଣ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅଭିଯାନର ପ୍ରାକ୍ ପର୍ଯ୍ୟାୟ ଭାବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପର୍ଯ୍ୟାବରଣ ସଚେତନତା ବୃଦ୍ଧି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପଦ୍ମପୁର, ରାଜ ବୋଡ଼ାସମ୍ବର ହାଇସ୍କୁଲ ପଦ୍ମପୁର, ସରକାରୀ ଆର.କେ. ୟୁ.ଜି.ଏଚ.ଏସ. ବୁରୋମୁଣ୍ଡା, ବରଗଡ଼ ଏବଂ ସରକାରୀ ହାଇସ୍କୁଲ ପାଇକମାଲ ଠାରେ ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ମୁଖ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ସରୋଜିନୀ କୁଲୁ, ଏଡିଏମ୍‌ ପଦ୍ମପୁର, ଡା. ସମ୍ରାଟ ଗୌଡ଼, ଆଇଏଫ୍‌ଏସ୍‌, ଆର୍‌ସିସିଏଫ୍‌ ସମ୍ବଲପୁର, ଡା. ସତ୍ୟନାରାୟଣ ନନ୍ଦ, ଆଞ୍ଚଳିକ ଅଧିକାରୀ, ଏସ୍‌ପିସିବି ସମ୍ବଲପୁର, ଶ୍ରୀରାମ ଚନ୍ଦ୍ର ମାଝୀ, ନିର୍ବାହୀ ଅଧିକାରୀ ପଦ୍ମପୁର, ହେମସାଗର ଭୋଇ, ଉପ-ଜିଲ୍ଲାପାଳ ପଦ୍ମପୁର ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଦିନର ଆରମ୍ଭ କେ.ଭି. ସ୍କୁଲ ଓ ଆର୍‌.ବି. ହାଇସ୍କୁଲ ପଦ୍ମପୁରର ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ୱାରା କରାଯାଇଥିଲା, ଏହାପରେ ପଦ୍ମପୁର ସହରରେ ଏକ ବିଶାଳ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ପଦଯାତ୍ରାରେ ପ୍ରାୟ ୧୫୦୦ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଜନତା ଉତ୍ସାହର ସହ ଭାଗ ନେଇଥିଲେ । ଏହାପରେ ପୁରୋହିତ କଲ୍ୟାଣ ମଣ୍ଡପ, ପଦ୍ମପୁର ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ନିଜ ଅଭିଭାଷଣରେ ମନ୍ତ୍ରୀ ଡା. ମହାଲିଙ୍ଗ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ, ବୃକ୍ଷରୋପଣ ଓ ସ୍ଥାୟୀ ଜୀବନଶୈଳୀ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଂଜିନ ସରକାର ପ୍ରକୃତି ଏବଂ ପରିବେଶକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଛନ୍ତି । ଏକ ପେଡ ମା’ କେ ନାମ ପରି ଅଭିଯାନରେ ଅଧିକରୁ ଅଧିକ ଗଛ ଲଗା ଯାଉଛି ଏବଂ ଏହି ଅଭିଯାନ ଆମକୁ ପ୍ରକୃତି ସହ ଯୋଡୁଛି । ସାଂସଦ ଶ୍ରୀ ପୁରୋହିତ ପ୍ରକୃତି ମା’କୁ ଭଲ ପାଇବା ଏବଂ ପର୍ଯ୍ୟାବରଣ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆର୍‌ସିସିଏଫ୍‌ ସମ୍ବଲପୁର ଓ ଏଡିଏମ୍‌ ପଦ୍ମପୁର ମଧ୍ୟ ଉତ୍ତମ ପରିବେଶ ପାଇଁ ସ୍ଥାୟୀ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦେଇଥିଲେ । ଆଞ୍ଚଳିକ ଅଧିକାରୀ ଡା. ସତ୍ୟ ନାରାୟଣ ନନ୍ଦ ଛାତ୍ରଛାତ୍ରୀଙ୍କୁ ପ୍ରଦୂଷଣ ଓ ଏହାର ନିରାକରଣ, ପ୍ରଦୂଷଣ ରୋକିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ସଚେତନ କରାଇଥିଲେ ଏବଂ ମିଶନ ଲାଇଫ୍‌ ଶପଥ ପାଠ କରାଇଥିଲେ । ପର୍ଯ୍ୟାବରଣ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପର୍ଯ୍ୟାବରଣ କର୍ମୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ଇକୋ-କିଟ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ଏବଂ ଭୋଜନ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଏହି ଅଭିଯାନ ସ୍କୁଲ ଶିକ୍ଷକ, ଜିଲ୍ଲା ପ୍ରଶାସନ ବରଗଡ଼, ପ୍ରେସ୍ ଓ ଗଣମାଧ୍ୟମ ଏବଂ ଏସ୍‌ପିସିବି ଆଞ୍ଚଳିକ କାର୍ଯ୍ୟଶଳୟ ସମ୍ବଲପୁରର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.