jayashree

ଅବସରକୁ ପୁରିଲାଣି ୪ ବର୍ଷ :ଏବେବି ପୂର୍ଣ୍ଣାଙ୍ଗ ପେନସନରୁ ବଞ୍ଚିତ ସେବାନିବୃତ୍ତ ଓଏଏସ୍

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନେ ଓଡିଶାର ସଧାରଣ ଜନତାଙ୍କ ସେବା କରିବା ଲକ୍ଷ୍ୟକୁ ନେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ଯୋଗ ଦେଇଥିଲେ । ନିଜର ୩୪ ବର୍ଷ ଚାକିରୀ କାଳରେ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସମର୍ପିତ ଭାବ ନେଇ କାର୍ଯ୍ୟ କରିଥିଲେ । ତେବେ ତାଙ୍କ ନିଷ୍ଠାପର ସେବା ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପାଇଁ ଅଭିଶାପ ପାଲଟିଲା । ଅବସର ଗ୍ରହଣ କରିବାର ୪ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଆଜିଯାଏଁ ସେ ପୂର୍ଣ୍ଣାଙ୍ଗ ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଆମେ କହୁଛୁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସୁସୁବା ଗ୍ରାମର ସେବାନିବୃତ୍ତ ବରିଷ୍ଠ ଓଏଏସ୍ ଅଧିକାରୀ ମୁରଲୀଧର ନାଏକ(୬୪)ଙ୍କ କଥା । ମୁରଲିଧର ୧୯୮୮ ମସିହା ଅକ୍ଟୋବର ୧୪ରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ବିଡ଼ିଓ, ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର, ଜଗତସିଂପୁର ବିଡ଼ିଓ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବିଡ଼ିଓ, ଦେବଗଡ ଡେପୁଟି କଲେକ୍ଟର, ଗଞ୍ଜାମ ଡେପୁଟି କଲେକ୍ଟର, ଗଞ୍ଜାମ ତହସିଲଦାର, ଭଞ୍ଜନଗର ଡେପୁଟି କଲେକ୍ଟର, ବାରକୋଟ ତହସିଲଦାର, ଜମନକିରା ତହସିଲଦାର ତଥା ବିଡ଼ିଓ, ବରଗଡ଼ ଜିଲ୍ଲାର ଭେଡେନ ବିଡ଼ିଓ, ବଲାଙ୍ଗିର ଜିଲ୍ଲାର ଦେଓଗାଁ ବିଡ଼ିଓ ଭାବରେ ସଫଳତାର ସହିତ କାର୍ଯ୍ୟ କରି ସଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଥିଲେ । ୨୦୨୨ ମସିହା ମାର୍ଚ୍ଚ ମାସରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବିଡ଼ିଓ ଭାବରେ ସେ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ପରେ ପରବର୍ତ୍ତୀ ମୂହୁର୍ତ୍ତରେ ସେ ବଲାଙ୍ଗିର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଙ୍କର ପୂର୍ଣ୍ଣାଙ୍ଗ ପେନସନ ପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ କରିଥିଲେ । ତେବେ ବଲାଙ୍ଗିର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ତାଙ୍କର କାଗଜପତ୍ର ପ୍ରେରଣ କରାଯାଉନଥିବାରୁ ସେ ଏବେ ସୁଦ୍ଧା ପୂର୍ଣ୍ଣାଙ୍ଗ ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅପରପକ୍ଷେ ସେ ବଲାଙ୍ଗିର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଏଭଳି ନିଷ୍କ୍ରିୟତା ଏବଂ ଉଦ୍ଦେଶ୍ୟମୂଳକ ମାନସିକ ନିର୍ଯ୍ୟତନା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ, ମୂଖ୍ୟ ଶାସନ ସଚିବଙ୍କୁ ୫ ଥର ଚିଠି ଲେଖିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଭାଗ୍ୟକୁ ଆଦରି ସେ ବହୁତ୍ କଷ୍ଟମୟ ତଥା ଅସମ୍ମାନଜନକ ଜୀବନ ଅତିବାହିତ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ, ଯଦି ଜଣେ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀଙ୍କୁ ନିଜର ପୂର୍ଣ୍ଣାଙ୍ଗ ପେନସନ ପାଇଁ ଏତେ ହଇରାଣ ହେବାକୁ ପଡୁଛି, ତେବେ ସାଧାରଣ କର୍ମଚାରୀଙ୍କୁ ନିଜର ପେନସନ ପାଇଁ କେତେ ହଇରାଣ ହେବାକୁ ପଡୁଥିବ, ତାହା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ । ତେଣୁ ରାଜ୍ୟ ସରକାର ଏ ଘଟଣାରେ ତ୍ଵରିତ ହସ୍ତକ୍ଷେପ କରି ନିଜ ଅଧିକାରରୁ ବଞ୍ଚିତ ମୁରଲୀଧରଙ୍କୁ ଅତିଶିଘ୍ର ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.