
ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡ଼ିଶାର ପ୍ରାଣବିନ୍ଦୁ, କୃଷି ଭିତ୍ତିକ ଗଣପର୍ବ ‘ନୂଆଖାଇ’ କେବଳ ଏକ ସାଧାରଣ ପରମ୍ପରା ନୁହେଁ, ବରଂ ଏହି ମାଟିର ପ୍ରାୟ ୨ କୋଟି ଜନସାଧାରଣଙ୍କ ସଂସ୍କୃତି, ଭାଇଚାରା ଓ ଆତ୍ମାର ପରମ୍ପରା । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଅତି ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହେଉଥିବା ଏହି ମହାନ ପର୍ବ ପାଇଁ ତିନି ଦିନ—ପ୍ରଥମ ଦିନ (ନୂଆଖାଇ), ଦ୍ଵିତୀୟ ଦିନ (ନୂଆଖାଇ ବାସି) ଓ ତୃତୀୟ ଦିନ (ନୂଆଖାଇ ତିଆସି)—ପରମ୍ପରାଗତ ଭାବେ ଧୁମଧାମ ଭାବେ ପାଳନ କରାଯାଇଥାଏ । ତେବେ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପର୍ବ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିବା କ୍ଷେତ୍ରରେ ଉଦାସୀନତା ଓ ଅବହେଳା ପ୍ରଦର୍ଶନ କରୁଛନ୍ତି । ସେପ୍ଟେମ୍ବର ୧୫ରେ ନୂଆଖାଇ ଓ ପରଦିନ ଅଧିକାରୀଙ୍କ ଛୁଟି ଘୋଷଣା ନହୋଇ କେତେକ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, କଲେଜ, ବ୍ୟାଙ୍କ ଓ ବୀମା ଖୋଲାରହୁଛି । ଏପରିକି ଏହି ଗୁରୁତ୍ୱପୂର୍ଣ୍ଣ ନୂଆଖାଇ ସେପ୍ଟେମ୍ବର ୧୫ ତାରିଖରେ ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରିୟ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ନିଯୁକ୍ତି ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସୂଚୀବଦ୍ଧ କରାଯାଉଛି । ନୂଆଖାଇ ଦିନରେ ନିଯୁକ୍ତି ପରୀକ୍ଷା ଆୟୋଜିତ ହେବା ଯୋଗୁଁ ଅନେକ ପରୀକ୍ଷାର୍ଥୀ ଓ ପରୀକ୍ଷକ ନିଜ ପରମ୍ପରା ପାଳନରୁ ବଞ୍ଚିତ ହେଉଛନ୍ତି । ପୂର୍ବ ଓଡ଼ିଶାରେ ପାଳିତ ହେଉଥିବା ରଜ ପର୍ବ ପାଇଁ ରାଜ୍ୟ ସରକାର ତିନି ଦିନିଆ ସରକାରୀ ଛୁଟି ଘୋଷଣା କରୁଥିବା ବେଳେ, ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପ୍ରତି ଏଭଳି ପକ୍ଷପାତମୂଳକ ଆଚରଣ ଗ୍ରହଣଯୋଗ୍ୟ ନୁହେଁ । ଏହା ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ଓ ଜନଭାବନା ପ୍ରତି ଏକ ବଡ଼ ଆଘାତ । ଏହି ପରିପ୍ରେକ୍ଷୀରେ ଆଦିବାସୀ କଲ୍ୟାଣ ସଂଘ, କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଏବଂ ବିଭିନ୍ନ କୋଶଲୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଗିରିଧାରୀ ଭୋଇଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ନୂଆଖାଇକୁ ୩ ଦିନିଆ ଛୁଟି ଘୋଷଣା ସହ ସରକାରୀ କ୍ୟାଲେଣ୍ଡରରେ ଛୁଟି ଦିନ ସ୍ଥାନ ଦେବା ଏବଂ ଉକ୍ତ ୩ଦିନରେ ବିଭିନ୍ନ ପରୀକ୍ଷା ବାତିଲ୍ କରିବା ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବିମଲ କୁମାର ବାଗ, ଦେବେନ୍ଦ୍ର ବୁଡ଼େକ, ଜଗନ ମେହେର, ସୁଶୀଳ କୁମାର ଗୁରୁ, ଯୁଧିଷ୍ଠିର ମିର୍ଦ୍ଧା, ମଦନ ମାଝୀ, ପିଣ୍ଟୁ ବୁଡ଼େକ, ଶିବ ପ୍ରସାଦ ଥାପା, ଚନ୍ଦ୍ରମଣି ଧରୁଆ, ପିଣ୍ଟୁ ବରିହା, ଗୌରାଙ୍ଗ ବରିହାଙ୍କ ସମେତ ଅନ୍ୟାନ୍ୟ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।