ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

• ଦୀପାବଳି ପାଇଁ ସ୍ଥାନୀୟ ସାମଗ୍ରୀ କିଣିବାକୁ ଜନତାଙ୍କୁ ଆହ୍ୱାନ
• ବାରାଣସୀର ସଂଯୋଗ ବ୍ୟବସ୍ଥା ଉପରେ ସରକାର ସର୍ବଦା ଅଗ୍ରାଧିକାର ଦେଉଛନ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବାରାଣସୀର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୨୦ କୋଟି ଟଙ୍କା ମୂଲ୍ୟର ୧୬ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସେ କହିଛନ୍ତି ଯେ ଏଥିସହିତ ୪୦୦ କୋଟି ଟଙ୍କା ମୂଲ୍ୟର ଅନ୍ୟ ୧୪ଟି ଯୋଜନାର କାର୍ୟ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ।
ଆଜି ଯେଉଁସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ସେଥିମଧ୍ୟରେ ରହିଛି ସାରନାଥର ଲାଇଟ ଓ ସାଉଣ୍ଡ ଶୋ ବ୍ୟବସ୍ଥା, ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍ପିଟାଲର ଉନ୍ନତୀକରଣ, ସହରରେ ଏକାଧିକ ସ୍ୱରେଜର ବିକାଶ କାର୍ୟ୍ୟ, ଗୋ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି, ବହୁମୁଖୀ ବିହନ ଭଣ୍ଡାର ଘର, ୧୦୦ ମେଟ୍ରିକ୍‌ ଟନ କ୍ଷମତା ବିଶିଷ୍ଟ କୃଷିଜାତ ସାମଗ୍ରୀ ୱେୟାର ହାଉସ, ଆଇପିଡିଏସ୍‌ର ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟ, ସଂପୂର୍ଣ୍ଣାନନ୍ଦ ଷ୍ଟାଡିୟମ ପରିସରରେ ଖେଳାଳିମାନଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ, ବାରାଣସୀ ସିଟି ସ୍ମାର୍ଟ ଲାଇଟିଂ ବ୍ୟବସ୍ଥା, ୧୦୫ଟି ଅଙ୍ଗନବାଡି କେନ୍ଦ୍ର ଓ ୧୦୨ଟି ଗୋରୁ ଆଶ୍ରୟ କେନ୍ଦ୍ର ।
ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାରାଣସୀ ନଗରୀ ଏବଂ ଏହାର ଆଖପାଖ ଗ୍ରାମରେ ପର୍ୟ୍ୟଟନ ବିକାଶ ସାମଗ୍ରିକ ଉନ୍ନୟନ ଯୋଜନାର ଏକ ଅଂଶ । ଏହିସବୁ ଉନ୍ନୟନ ପ୍ରାଚୀନ ନଗରୀ ବାରାଣସୀର ସର୍ବାଙ୍ଗୀନ ବିକାଶରେ ଏକ ଉଦାହରଣ ପାଲଟିଛି । ଗଙ୍ଗା ସଫେଇ, ସ୍ୱାସ୍ଥ୍ୟସେବା ଯୋଗାଣ, ଉତ୍ତମମାନର ରାସ୍ତା ନିର୍ମାଣ, ବିଭିନ୍ନ ଭିତ୍ତିଭୂମି ସୃଷ୍ଟି, ପର୍ୟ୍ୟଟନ, ବିଦ୍ୟୁତ, ଯୁବ ବିକାଶ, କ୍ରୀଡା, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ବାରାଣସୀ ନଗରୀ ଦ୍ରୁତଗତିରେ ପ୍ରଗତିପଥରେ ଅଗ୍ରସର । ସେ କହିଛନ୍ତି ଯେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପୁନରୁଦ୍ଧାର ସହିତ ନଗରୀର ଗଙ୍ଗା ସଫେଇ ପ୍ରକଳ୍ପ ଆଜି ଶେଷ ହୋଇଛି । ନଗରୀର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବାରାଣସୀର ଘାଟଗୁଡିକୁ ଏବେ ସୁସଜ୍ଜିତ କରାଯାଇଛି । ପ୍ରଦୂଷଣ ରୋକିବାକୁ ସିଏନ୍‌ଜି ବ୍ୟବସ୍ଥା କରାଯାଇଥିବାବେଳେ ଦଶାଶ୍ୱମେଧ ଘାଟରେ ଏକ ଟୁରିଷ୍ଟ ପ୍ଲାଜା ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଙ୍ଗାର ପରିଚ୍ଛନ୍ନତା ରକ୍ଷା ପାଇଁ ନଗରୀରେ ଯେଉଁସବୁ କାର୍ୟ୍ୟ କରାଯାଇଛି କାଶୀରେ ମଧ୍ୟ ତାହା କାର୍ୟ୍ୟକାରୀ ହେବ । କାରଣ ଏହା ଉଭୟ କାଶୀ ଓ ବାରାଣସୀର ମିଳିତ ବିକାଶ କାର୍ୟ୍ୟକ୍ରମର ଅଂଶବିଶେଷ । କ୍ରମଶଃ ଗଙ୍ଗାର ବିଭିନ୍ନ ଘାଟର ଉନ୍ନତି ହେଉଛି । ଗଙ୍ଗା ଘାଟର ପରିଚ୍ଛନ୍ନତା ଏବଂ ସୌନ୍ଦର୍ୟ୍ୟକରଣ ସହିତ ସାରନାଥ ମଧ୍ୟ ଏକ ନୂଆ ରୂପ ଧାରଣ କରିଛି । ସେଠି ଉଦ୍ଘାଟିତ ହୋଇଥିବା ଲାଇଟ ଏଣ୍ଡ ସାଉଣ୍ଡ କାର୍ୟ୍ୟକ୍ରମ ସାରନାଥର ଔଜଲ୍ୟ ବଢାଇବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶୀ ନଗରୀର ସମସ୍ୟାଗୁଡିକୁ କ୍ରମଶଃ ସମାଧାନ କରାଯାଉଛି । ସେଠାରେ ତଳକୁ ନଇଁ ପଡିଥିବା ବିଜୁଳି ତାରଗୁଡିକୁ ହଟାଇ ଦିଆଯାଇଛି । ନୂଆକରି ଭୂମିତଳେ କେବୁଲ ମାଧ୍ୟମରେ ଲୋକଙ୍କୁ ବିଜୁଳି ଯୋଗାଇ ଦିଆଯାଉଛି । ଆଜି ଏହି କାର୍ୟ୍ୟର ଗୋଟିଏ ପର୍ୟ୍ୟାୟ ଶେଷ ହୋଇଛି । ଏହା ସହିତ କାଶୀର ରାସ୍ତାଘାଟ ଏବେ ଏଲ୍‌ଇଡି ଲାଇଟରେ ଝଲସିବ ଏବଂ ଏହାର ସୌନ୍ଦର୍ୟ୍ୟ ବଢାଇବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବାରାଣସୀର ସଂଯୋଗ ବ୍ୟବସ୍ଥାକୁ ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି । ସେଥିପାଇଁ ନୂଆ ଭିତ୍ତିଭୂମିମାନ ତିଆରି କରାଯାଉଛି । ଏହା ଫଳରେ କାଶୀର ଜନସାଧାରଣ ଏବଂ ପର୍ୟ୍ୟଟକ ଆଉ ଟ୍ରାଫିକ ଜାମରେ ହଇରାଣ ହେବେ ନାହିଁ କିମ୍ବା ସେମାନଙ୍କର ସମୟ ଅପଚୟ ହେବନାହିଁ । ବାବତ୍‌ପୁରରୁ ନଗରୀକୁ ସଂଯୋଗ କରୁଥିବା ରାସ୍ତାର ପୁନଃନିର୍ମାଣ ଓ ବିକାଶ ପରେ ବାରାଣସୀ ଏକ ନୂଆ ପରିଚୟ ପାଇଛି । ସେହିଭଳି ବାରାଣସୀ ବିମାନ ବନ୍ଦରରେ ଦୁଇଟି ପାସେଞ୍ଜର ବୋର୍ଡିଂ ବ୍ରିଜର ଆବଶ୍ୟକତା ୬ ବର୍ଷ ତଳୁ ଅନୁଭୂତ ହେଉଥିଲା । କାରଣ ଏହି ବିମାନ ବନ୍ଦରକୁ ଦୈନିକ ସେତେବେଳେ ୧୨ଟି ବିମାନ ଆସୁଥିବାବେଳେ ଏବେ ୪୮ଟି ବିମାନ ଆତଯାତ କରୁଛି । ତେଣୁ ସେଠାରେ ଅଧିକ ଯାତ୍ରୀ ସୁବିଧାର ଆବଶ୍ୟକତା ରହିଛି । ବାରାଣସୀରେ ଯେଉଁ ଆଧୁନିକ ଭିତ୍ତିଭୂମିମାନ ତିଆରି ହେଉଛି, ତଦ୍ଦ୍ୱାରା ସ୍ଥାନୀୟ ଲୋକଙ୍କର ସୁବିଧା ହେବା ସହିତ ଏଠାକୁ ଆସୁଥିବା ପର୍ୟ୍ୟଟକମାନଙ୍କର ଜୀବନଯାତ୍ରା ସୁଗମ ହେବ । ସମଗ୍ର ବାରାଣସୀ ନଗରୀରେ କାର୍ୟ୍ୟକାରୀ ହେଉଥିବା ରାସ୍ତା ଭିତ୍ତିଭୂମିର ଏକ ବିବରଣୀ ଏହି ଅବସରରେ ସେ ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ୬ ବର୍ଷ ଧରି ବାରାଣସୀର ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ କାର୍ୟ୍ୟ କରାଯାଇଛି । ଏବେ ବାରାଣସୀ କେବଳ ଉତ୍ତର ପ୍ରଦେଶ ନୁହେଁ, ବରଂ ସମଗ୍ର ପୂର୍ବାଞ୍ଚଳ ପାଇଁ ଏକ ସ୍ୱାସ୍ଥ୍ୟ ହବ୍‌ରେ ପରିଣତ ହେବାକୁ ଯାଉଛି । ରାମନଗର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ହସ୍ପିଟାଲର ଆଧୁନିକୀକରଣ ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଭିତ୍ତିଭୂମି କାର୍ୟ୍ୟର ହିସାବ ସେ ଦେଇଥିଲେ ।
ପ୍ରଧାନମନ୍ତୀ କହିଛନ୍ତି ଯେ ଏବେ ବାରାଣସୀର ସାମଗ୍ରିକ ବିକାଶ କାର୍ୟ୍ୟ ଚାଲିଛି । ଏହାଦ୍ୱାରା ପୂର୍ବାଞ୍ଚଳ ସମେତ ସମଗ୍ର ପୂର୍ବ ଭାରତ ଉପକୃତ ହେବ । ଛୋଟମୋଟ କାମରେ ଏଣିକି ପୂର୍ବାଞ୍ଚଳର ଲୋକଙ୍କୁ ଆଉ ଦିଲ୍ଲୀ କିମ୍ବା ମୁମ୍ବଇକୁ ଯିବାକୁ ପଡିବ ନାହିଁ ।
ସେ କହିଛନ୍ତି ଯେ ବାରାଣସୀର କୃଷକ ସମୁଦାୟଙ୍କ ସମେତ ସମଗ୍ର ପୂର୍ବାଞ୍ଚଳର ଚାଷୀ ନୂଆ ଭିତ୍ତିଭୂମି ନିର୍ମାଣ ଫଳରେ ଉପକୃତ ହେବେ । ସେମାନଙ୍କ ପାଇଁ ଏବେ ନିଜ ଉତ୍ପାଦିତ ସାମଗ୍ରୀର ଭଣ୍ଡାରଣ ଓ ପରିବହନର ସୁବିଧା ତିଆରି କରାଯାଇଛି । ଏଠାରେ ମଧ୍ୟ ଆନ୍ତର୍ଜାତିକ ଧାନ ପ୍ରତିଷ୍ଠାନର ଏକ କେନ୍ଦ୍ର ଖୋଲିଛି । ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ ପଚନଶୀଳ ସାମଗ୍ରୀର ସୁରକ୍ଷା ନିମନ୍ତେ ଏକ କେନ୍ଦ୍ର ଖୋଲା ଯାଇଛି । ଏଭଳି ଭିତ୍ତିଭୂମି ଦ୍ୱାରା ଚାଷୀମାନେ ବିଶେଷ ଉପକୃତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଚଳିତବର୍ଷ ପ୍ରଥମ ଥର ପାଇଁ ଫଳ, ପନିପରିବା ଏବଂ ଧାନ ଆଦି ବାରାଣସୀ ଅଞ୍ଚଳରୁ ବିଦେଶକୁ ରପ୍ତାନୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଜି ନଗରୀରେ ୧୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଯେଉଁ କୃଷିଜାତ ଗୋଦାମ ଉଦ୍‌ଘାଟିତ ହେଲା ତଦ୍ଦ୍ୱାରା ଚାଷୀମାନେ ଉପକୃତ ହେବେ । କାଶୀରେ କୃଷିଜାତ ସାମଗ୍ରୀର ଭଣ୍ଡାରଣ ସୁବିଧା ବୃଦ୍ଧି ପାଇବ । ସେହିଭଳି ନଗରୀ ସନ୍ନିକଟ ଜନ୍‌ସାରେ ଯେଉଁ ବହୁମୁଖୀ ବିହନ ୱେୟାର ହାଉସ୍‌ ଆଜି କାର୍ୟ୍ୟକ୍ଷମ ହେଲା ତାହା ଚାଷ ଓ ଚାଷୀଙ୍କ ଉନ୍ନତିରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମାଞ୍ଚଳର ଗରିବ ଏବଂ ଚାଷୀମାନେ ଆତ୍ମନିର୍ଭର ଭାରତ ଅଭିଯାନର ସବୁଠୁ ବଡ଼ ସ୍ତମ୍ଭ ଏବଂ ସବୁଠୁ ବଡ଼ ହିତାଧିକାରୀ ମଧ୍ୟ । ଏବେ ଯେଉଁ କୃଷି ସଂସ୍କାରମାନ କାର୍ୟ୍ୟକାରୀ ହୋଇଛି ତଦ୍ଦ୍ୱାରା ଚାଷୀମାନେ ସିଧାସଳଖ ଉପକୃତ ହେବେ । ଏବେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ଷ୍ଟ୍ରିଟ ଭେଣ୍ଡରମାନେ ସହଜ ଓ ସୁବିଧାରେ ଋଣ ପାଉଛନ୍ତି । ଏହା ଫଳରେ ମହାମାରୀ ପରେ ସେମାନେ ପୁନର୍ବାର ସେମାନଙ୍କ ବେଉଷା ଆରମ୍ଭ କରିପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କର ଜମି ଏବଂ ଘର ଉପରେ ଆଇନଗତ ଅଧିକାର ଦେବା ପାଇଁ ସ୍ୱାମୀତ୍ୱ ଯୋଜନା କାର୍ୟ୍ୟକାରୀ ହୋଇଛି । ଏହି ଯୋଜନାରେ ଲୋକଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରାଯିବା ପରେ ଆଉ ସମ୍ପତ୍ତିଗତ ବିବାଦ ରହିବ ନାହିଁ । ସେ ଆହୁରି କହିଛନ୍ତି ଯେ ଏହାଦ୍ୱାରା ଗ୍ରାମାଞ୍ଚଳର ଘର ବା ଜମି ଉପରେ ଏବେ ବ୍ୟାଙ୍କରୁ ଋଣ ପାଇବା ସହଜ ହୋଇପାରିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଦୀପାବଳି, ଗୋବର୍ଦ୍ଧନ ପୂଜା ଓ ଭାୟାଦୁଜର ଅଭିନନ୍ଦନ ଜଣାଇଥିଲେ । ଦୀପାବଳି ଉତ୍ସବ ପାଳନ ପାଇଁ ଲୋକେ ସ୍ଥାନୀୟଭାବେ ନିର୍ମିତ ଜିନିଷପତ୍ର ଅଧିକରୁ ଅଧିକ କିଣି ସେ ସବୁ ସାମଗ୍ରୀର ମହତ୍ୱ ବଢାଇବା ସହିତ ଗର୍ବର ସହ ତାହାର ପ୍ରଚାର ଓ ପ୍ରସାର କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.