ଦେଶରେ କରୋନା ସଂକ୍ରମଣରୁ ସୁସ୍ଥଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା

● ଶେଷ ୧୦ ଲକ୍ଷ ସୁସ୍ଥ ହେଲେ ମାତ୍ର ୧୧ ଦିନରେ
● ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୫ଗୁଣ ଅଧିକ

ନୂଆଦିଲ୍ଲୀ, (ପିଆଇବି) : ଗତକାଲି (୨୮.୦୯.୨୦୨୦) ଦେଶରେ କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୦,୧୬,୫୨୦ ଅତିକ୍ରମ କରିଛି । ପ୍ରତିଦିନ ଅଧିକରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଥିବା ବେଳେ ଦିନପିଛା ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୭୪,୮୯୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ନିକଟରେ ଦୈନିକ ୯୦ ହଜାରରୁ ଅଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ତୁଳନାରେ ୫ଗୁଣ ଅଧିକ ଆରୋଗ୍ୟ ଲାଭ କରିଛନ୍ତି । ଜାତୀୟ ଆରୋଗ୍ୟ ହାର ୮୨.୫୮ ପ୍ରତିଶତକୁ ବୃଦ୍ଧି ପାଇଛି । ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୁସ୍ଥତା ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି ।
ନୂତନ ଆରୋଗ୍ୟ ଲାଭ କରିଥିବା ଶତକଡା ୭୩ ଭାଗ ରୋଗୀ ୧୦ଟି ରାଜ୍ୟର ବୋଲି ଜଣାପଡିଛି । ସେଗୁଡିକ ହେଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ, କେରଳ, ଓଡିଶା, ପଶ୍ଚିମବଙ୍ଗ ଓ ପଞ୍ଜାବ । କେବଳ ମହାରାଷ୍ଟ୍ରରୁ ୧୩,୦୦୦ ନୂତନ ରୋଗୀ ଆରୋଗ୍ୟଲାଭ କରିଛନ୍ତି । ଜୁନ ମାସରେ ଆରୋଗ୍ୟ ସଂଖ୍ୟା ୧ ଲକ୍ଷ ଥିବା ବେଳେ ଏହା କ୍ରମଶଃ ଦ୍ରୁତଗତିରେ ବୃଦ୍ଧି ପାଇ ଗତ ୧୧ ଦିନ ମଧ୍ୟରେ ୧୦ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା କେତେକ ଦକ୍ଷ ଓ ଦୂରଦର୍ଶୀ ପଦକ୍ଷେପ ତଥା ରାଜ୍ୟ ସରକାରଙ୍କ ଦ୍ଵାରା ଏଗୁଡ଼ିକର ସଫଳ ରୂପାୟନ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି । ଉନ୍ନତ ମେଡିକାଲ ଭିତ୍ତିଭୂମି କୋଭିଡ ନିୟମାବଳୀଗୁଡିକୁ ତ୍ୱରାନ୍ୱିତ କରିବା, ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗ ଭାବାପନ୍ନ ସେବା ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆରୋଗ୍ୟଙ୍କ ମଧ୍ୟରୁ ଶତକଡା ୭୮ ଭାଗ ରୋଗୀ ୧୦ଟି ରାଜ୍ୟରୁ ହୋଇଥିବା ବେଳେ ସବୁଠାରୁ ଆଗରେ ମହାରାଷ୍ଟ୍ର ରହିଛି । ତା ପଛକୁ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ରହିଛନ୍ତି ।
ଦେଶରେ ଗତକାଲି ୨୪ ଘଣ୍ଟା ମଧ୍ୟରେ ୮୨,୧୭୦ ନୂତନ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଶତକଡା ୭୯ ଭାଗ ୧୦ଟି ରାଜ୍ୟର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୮,୦୦୦ ଥିବା ବେଳେ କର୍ଣ୍ଣାଟକରୁ ୯,୦୦୦ରୁ ଅଧିକ ଚିହ୍ନଟ ହୋଇଛନ୍ତି ।
ଗତକାଲି ୨୪ ଘଣ୍ଟା ମଧ୍ୟରେ ୧,୦୩୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସର୍ବଶେଷ ମୃତ୍ୟୁ ପରିସଙ୍ଖ୍ୟାନ ଅନୁସାରେ ମୋଟ ନୂତନ ମୃତକଙ୍କ ଶତକଡା ୮୪ ଭାଗ ୧୦ଟି ରାଜ୍ୟରୁ ଆସିଛନ୍ତି । ଗତ ୨୭ ତାରିଖରେ ଶତକଡା ୩୬ ଭାଗ ଅର୍ଥାତ ୩୮୦ ଜଣଙ୍କର ମୃତ୍ୟୁ ମହାରାଷ୍ଟ୍ରରୁ ହୋଇଥିବା ବେଳେ ତାମିଲନାଡୁରୁ ୮୦ ଓ କର୍ଣ୍ଣାଟକରୁ ୭୯ ଜଣଙ୍କର ମୃତ୍ୟୁ ଘଟିଛି ।
ସାମାଜିକ ଦୁରତ୍ଵ, ବାରମ୍ବାର ହାତ ଧୋଇବା, ଶ୍ଵାସକ୍ରିୟା ପରିଚାଳନା ଓ ସାଧାରଣ ସ୍ଥାନରେ ମାସ୍କର ବ୍ୟବହାର ଉପରେ ଗୁରୁତ୍ଵାରୋପ କରାଯାଇଛି ।

Leave A Reply

Your email address will not be published.